ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପ୍ରତିଭାବାନ ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ମିଳିଛି ବର୍ଷ ୨୦୨୩ର ସମ୍ମାନଜନକ ଏକଲବ୍ୟ ପୁରସ୍କାର। ଭୁବନେଶ୍ଵରରେ ବୁଧବାର ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ତାଙ୍କୁ ଏହି କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ କ୍ରିକେଟ ତରକା ତଥା ୧୯୮୩ ବିଶ୍ୱକପ ବିଜେତା ଭାରତୀୟ ଦଳର ସଦସ୍ୟ ମଦନ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଉତ୍ସବରେ ଦେବଶିଷ ସାହୁଙ୍କୁ ସମ୍ମାନପତ୍ର ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ସ୍ଵରୂପ ପ୍ରଦାନ କରାଯାଇଛି। ୨୦୨୧ ଏପ୍ରିଲ ୧ ତାରିଖରୁ ୨୦୨୩ ମାର୍ଚ୍ଚ ୩୧ ତାରିଖ ଯାଏଁ ୨ ବର୍ଷ ସମୟ ମଧ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପାଇଁ ସେ ଏହି କ୍ରୀଡ଼ା ସମ୍ମାନ ଲାଭ କରିଛନ୍ତି।

ସେହିପରି ଏଠାରେ ଓଡ଼ିଶାର ଉଦୀୟମାନ ଆଥଲେଟ୍ ବାପି ହାସଁଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ଶବରଙ୍କୁ ସମ୍ମାନିତ କରାଯାଇଛି। ଉଭୟଙ୍କୁ ମାନପତ୍ର ସହ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ପୂର୍ବତନ ରଣଜୀ ଖେଳାଳି ତଥା ନାସନାଲ କ୍ରିକେଟ ଏକାଡେମୀର କୋଚ୍ ପୱନ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ ଇମ୍ପାକ୍ଟ ସଂସ୍ଥାର ଟ୍ରଷ୍ଟି ବୈଜୟନ୍ତ ପଣ୍ଡା ଏବଂ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। 

୧୯୯୩ ମସିହାରୁ ଇମ୍ଫା ଦ୍ଵାରା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ରାଜ୍ୟର ଉଦୀୟମାନ (୨୫ ବର୍ଷରୁ କମ୍‌) ଖେଳାଳିଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି। ୨୦୨୨ରେ ଓଡ଼ିଆ ସାଇକ୍ଲିଷ୍ଟ୍‌ ସ୍ଵସ୍ତି ସିଂହଙ୍କୁ ଏହି ପୁରସ୍କାର ମିଳିଥିଲା।

Tags: #EkalabyaAwards #Sports #DebasisSahoo #TennisPlayer #Impact #IMFAGroup #Bhubaneswar

Comment