ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରେ ବହୁ ପ୍ରତୀକ୍ଷିତ ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ସୋମବାର ବାରଙ୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ଯାଏଁ ମେଟ୍ରୋ ରେଳ ଚାଲିବା ପାଇଁ ଭିତ୍ତିଭୂମି ନିର୍ମାଣ ହେବ।

“ଭୁବନେଶ୍ୱର ଓ କଟକ ମଧ୍ୟରେ ଉତ୍ତମ ପରିବହନ ସୁବିଧା ପାଇଁ ମେଟ୍ରୋ ରେଳ ଚଳାଚଳ କରିବାକୁ ଅନେକ ଦିନରୁ ଯୋଜନା ରହିଥିଲା। ଆଜି ନୂଆବର୍ଷରେ ଏହାର ଶିଳାନ୍ୟାସ ହୋଇଛି। ଆଗାମୀ ୪ ବର୍ଷରେ ଏହି ପ୍ରକଳ୍ପର କାମ ସରିବ। ଓଡ଼ିଶାବାସୀ ମେଟ୍ରୋ ରେଳର ସୁବିଧା ପାଇବେ। ଭବିଷ୍ୟତରେ କଟକ, ପୁରୀ ଓ ଖୋର୍ଦ୍ଧାକୁ ଏହାର ସମ୍ପ୍ରସାରଣ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୋମବାର ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ବିମାନବନ୍ଦର ଛକରୁ ସଚିବାଳୟ ମାର୍ଗ ଓ ନନ୍ଦନକାନନ ରାସ୍ତା ଦେଇ ବାରଙ୍ଗରେ ପହଞ୍ଚିଥିଲେ। ଏହି ଗସ୍ତବେଳେ ସେ ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ହଜାର ହଜାର ଲୋକେ ରାସ୍ତା ପାର୍ଶ୍ଵରେ ଠିଆ ହୋଇ ତାଙ୍କର ସ୍ଵାଗତ କରିଥିଲେ।

ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ତ୍ରିଶୁଳିଆ ଯାଏଁ ମୋଟ ୨୬ କିଲୋମିଟରରେ ୨୦ଟି ଷ୍ଟେସନ ରହିବ। ଏଥିପାଇଁ ୬,୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।    

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଯୋଗ ଦେଇଥିଲେ। ସେହିପରି ଭୁବନେଶ୍ଵର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ଚନ୍ଦ୍ରଶେଖର ସାରଥି ବେହେରା, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, କଟକ ମେୟର ସୁବାସ ସିଂହ ଏବଂ ଭୁବନେଶ୍ଵର ମେୟର ସୁଲୋଚନା ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।  

୨୦୨୩ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର। ଏହାପରେ ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରାଯାଇ ଏଥିପାଇଁ କ୍ୟାବିନେଟରେ ଅର୍ଥ ବ୍ୟୟବରାଦ କରାଯାଇଥିଲା।

Tags: #BhubaeswarMetro #CMNaveenPatnaik #MetroRail #PublicTransport #Bhubaneswar #Odisha

Comment