ଓଡ଼ିଶାଲାଇଭ୍ ବ୍ୟୁରୋ

  • ବିଡିଏରେ ହେବ ଏନଫୋର୍ସମେଣ୍ଟ ବ୍ୟବସ୍ଥା
  • ଏନଫୋର୍ସମେଣ୍ଟ ପାଇଁ ସୃଷ୍ଟି ହେବ ୬୭ଟି ନୂଆ ପଦବୀ
  • ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ନୂଆ ପଦବୀ ସୃଷ୍ଟି ହେବ
  • ବିଭିନ୍ନ ଉନ୍ନୟନ କାର୍ଯ୍ୟ ଏବଂ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ତ୍ୱରାନ୍ୱିତ ହେବ
  • ଗୋଟିଏ ଆସିଷ୍ଟାଣ୍ଟ କମିଶନର, ୬ଟି ଏଏସଆଇ ଏବଂ ୬୦ଟି କନଷ୍ଟେବଳ ପଦବୀ ସୃଷ୍ଟି ହେବ

ଆହୁରି ଦକ୍ଷ ଏବଂ କ୍ରିୟାଶୀଳ ହେବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)। ଏଥିଲାଗି ୬୭ଟି ନୂତନ ପଦବୀ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ଗୋଟିଏ ଆସିଷ୍ଟାଣ୍ଟ କମିଶନର ପଦବୀ, ୬ଟି ଏଏସଆଇ ପଦବୀ ଏବଂ ୬୦ଟି କନଷ୍ଟେବଳ ପଦବୀ ସୃଷ୍ଟି ହେବ। ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଏହି ନୂତନ ପଦବୀ ସୃଷ୍ଟି କରାଯିବ।

ନୂତନ ପଦବୀରେ ନିଯୁକ୍ତି ହେବା ଦ୍ଵାରା ବିଡିଏର ଏନଫୋର୍ସମେଣ୍ଟ କାର୍ଯ୍ୟରେ ଆଉ ସମସ୍ୟା ରହିବ ନାହିଁ। ଭୁବନେଶ୍ୱରରେ ଦିନକୁ ଦିନ ଜନସଂଖ୍ୟାରେ ବୃଦ୍ଧି ହେଉଛି। ଲୋକଙ୍କ ଆବଶ୍ୟକତା ଅନୁସାରେ ସହରର ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ବଢ଼ୁଥିବାରୁ ବିଡିଏକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି। ବିଡିଏର ଏନଫୋର୍ସମେଣ୍ଟ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନୂତନ ପଦବୀ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ନୂତନ ପଦବୀଗୁଡ଼ିକ ସହରାଞ୍ଚଳର ଯୋଜନାବଦ୍ଧ ବିକାଶ ପାଇଁ କାର୍ଯ୍ୟ କରିବ। ବିଡିଏର ପ୍ରସ୍ତାବ ଅନୁଯାୟୀ ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ଯୁଗ୍ମ ଦଳ ଓ ୫ଟି ରିଜର୍ଭ ଟିମ୍‌ର ଆବଶ୍ୟକତା ରହିଛି। ପ୍ରତି ଟିମ୍‌ରେ ୨ଜଣ ପୋଲିସ କନଷ୍ଟେବଳ ରହିବେ। ଏହି ଟିମଗୁଡ଼ିକର ସମନ୍ୱୟ ଓ ସୁପରିଚାଳନା ପାଇଁ ଜଣେ ଆସିଷ୍ଟାଣ୍ଟ କମିଶନର ଓ ୬ ଜଣ ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର କାର୍ଯ୍ୟ କରିବେ।

Tags: #OdishaGovt #BDAEnforcement #Bhubaneswar #PolicePosts

Comment