ଭାସ୍କର ପରିଚ୍ଛା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଶ୍ରୀକ୍ଷେତ୍ରରେ ଏକାଠି ହେବେ ଦେଶର ପ୍ରମୁଖ ଦେବପୀଠର ମୁଖ୍ୟ। ଏଥିରେ ବହୁ ଧର୍ମଗୁରୁ, ସାଧୁସନ୍ଥ, ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଗତ ଦିନର ସବୁ ଧର୍ମ ଓ ମତବାଦର ବ୍ୟକ୍ତିଙ୍କୁ ଆପଣାଇବା ସହିତ ସମଗ୍ର ବିଶ୍ୱକୁ ନୂତନତ୍ଵର ବାର୍ତ୍ତା ଦେବା ପାଇଁ ପ୍ରସ୍ତୁତ ହୋଇଛି ପୁରୀ। ଶ୍ରୀଜଗନ୍ନାଥଙ୍କ ଧାମ ସମସ୍ତଙ୍କୁ ଆପଣାଇବା ଲାଗି ନିଜକୁ ପ୍ରସ୍ତୁତ କରୁଛି।

ପରିକ୍ରମା ପ୍ରକଳ୍ପର ଲୋକାର୍ପଣରେ ଯୋଗ ଦେବାକୁ ଆସୁଥିବା ଅତିଥିମାନଙ୍କ ଆତିଥେୟତାକୁ ବେଶ୍‌‌ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର ପୁରୀ। ତେବେ ଯିଏ ଏବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦେଉଳକୁ ଯାଉଛନ୍ତି, ସେମାନଙ୍କ ନଜର ଏବେ ଅଟକି ଯାଉଛି ପରିକ୍ରମା ପ୍ରକଳ୍ପ ପରିସର ଭିତରେ ଥିବା ଗଡ଼ନ୍ତି ଛକର ପୁରୁଣା ପାଣିଟାଙ୍କି ଉପରେ।

ବ୍ରିଟିଶ୍‌ ଅମଳର ଏହି ପାଣିଟାଙ୍କିକୁ ଆକର୍ଷଣୀୟ ପରିପାଟୀରେ ସଜା ଯାଉଛି। ଏହି ପାଣିଟାଙ୍କିକୁ ସମ୍ପୂର୍ଣ୍ଣ ଭାବେ ଫିକା ଗୋଲାପି ରଙ୍ଗରେ ରଙ୍ଗାୟିତ କରାଯାଇଥିବା ବେଳେ ଏହା ଉପରେ ସୁନ୍ଦର ଭାବେ ଗଜପତି ମହାରାଜା ପୁରୁଷୋତ୍ତମ ଦେବ ଏବଂ କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ ପ୍ରେମ କାହାଣୀ ଅଙ୍କାଯାଉଛି। ଏହା ସମସ୍ତଙ୍କୁ ବେଶ୍ ଆକର୍ଷିତ କରୁଛି।

ପରିକ୍ରମା ପ୍ରକଳ୍ପ ପରିସର ଭିତରେ ଥିବା ବ୍ରିଟିଶ ଅମଳର ପାଣିଟାଙ୍କି ଉପରେ ପାରମ୍ପରିକ ପଟ୍ଟଚିତ୍ର ଶୈଳୀରେ ପୁରୁଷୋତ୍ତମ ଦେବ ଓ ପଦ୍ମାବତୀଙ୍କ କାହାଣୀ ଅଙ୍କନ କରାଯାଉଛି। ଐତିହ୍ୟ ଗ୍ରାମ ରଘୁରାଜପୁରର ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ୟୁନିଭର୍ସ ମହାରଣା ଏବଂ ତାଙ୍କର ୬ ଜଣ ସହଯୋଗୀ ମଧୁସୂଦନ ସ୍ୱାଇଁ, ସୁରେଶ ମହାରଣା, ସୁକାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାତ୍ର, ଚରଣ ନାୟକ ଓ ହେମନ୍ତ ବରାଳ ପ୍ରମୁଖ ଶିଳ୍ପୀ ଏହି କାମରେ ସାମିଲ ଅଛନ୍ତି।

ଏହି ଅଙ୍କାଯାଉଥିବା ଚିତ୍ରକଳା ସମ୍ପର୍କରେ ଶିଳ୍ପୀ ୟୁନିଭର୍ସ କହିଛନ୍ତି, “ପାଣିଟାଙ୍କିରେ ୮ଟି ଭାଗରେ କାଞ୍ଚି ରାଜ୍ୟର ରୂପସୀ ରାଜଜେମା ପଦ୍ମାବତୀ ଏବଂ ସୂର୍ଯ୍ୟବଂଶୀ ରାଜା ଗଜପତି ପୁରୁଷୋତ୍ତମ ଦେବଙ୍କ ବିବାହକୁ ଆମେ ଚିତ୍ରଣ କରୁଛୁ। ତେବେ ପାଣିଟାଙ୍କିରେ ଚଢ଼ି ଚିତ୍ର ଅଙ୍କିବା କଷ୍ଟକର ହୋଇଥିଲେ ମଧ୍ୟ ମହାପ୍ରଭୁଙ୍କୁ ଆଶୀର୍ବାଦରୁ ଆମେ ଭଲ ଭାବେ ଏହି କାମକୁ କରିପାରୁଛୁ। ଏହା ସମ୍ପୂର୍ଣ୍ଣ ହେଲା ପରେ ଆହୁରି ଆକର୍ଷଣୀୟ ଲାଗିବ”

ଏହି ଚିତ୍ରରେ ଏକ ନଦୀକୂଳରେ ପୁରୁଷୋତ୍ତମ ଦେବ ରାଜଜେମା ପଦ୍ମାବତୀଙ୍କୁ ସାକ୍ଷାତ କରିବା, ଦୁହେଁ ପରସ୍ପରକୁ ପସନ୍ଦ କରି ବିବାହ ପାଇଁ ମନସ୍ଥ କରିବା, କାଞ୍ଚି ରାଜା ଜାଣିବା ପରେ ସହମତି ପ୍ରକାଶ କରି ତାଙ୍କର ଜଣେ ମନ୍ତ୍ରୀଙ୍କୁ ରଥଯାତ୍ରା ଦେଖିବା ପାଇଁ ପଠାଇବାକୁ ଘଟଣାକୁ ଅତି ନିଚ୍ଛକ ଭାବେ ଅଙ୍କାଯାଇଛି।

ସେହିପରି ପୁରୁଷୋତ୍ତମଦେବ ରଥ ଉପରେ ଛେରାପହଁରା କରୁଥିବା ଖବର ପାଇ କାଞ୍ଚି ରାଜା ଅମଙ୍ଗ ହେବା, ଉଭୟଙ୍କ ମଧ୍ୟରେ ଯୁଦ୍ଧ ହେବା, ଯୁଦ୍ଧରେ ପ୍ରଭୁ ଜଗନ୍ନାଥ ଏବଂ ବଳଭଦ୍ର କଳା, ଧଳା ଘୋଡ଼ାରେ ଚଢ଼ିବା, ଗଜପତି ପୁରୁଷୋତ୍ତମଦେବ ଯୁଦ୍ଧରେ ବିଜୟୀ ହୋଇ ପଦ୍ମାବତୀଙ୍କୁ ବିବାହ କରିବା ଭଳି କାହାଣୀ ଏହି ଚିତ୍ରରେ ଦେଖିବାକୁ ମିଳିବ।

ଅନ୍ୟପଟେ ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପାଇଁ ଏହି ସାଜସଜ୍ଜା ଭିତରେ ପୁରୀ ସହରର ବିଭିନ୍ନ ପ୍ରମୁଖ ଜାଗାର କାନ୍ଥ, ପ୍ରାଚୀରରେ ଅଙ୍କାଯାଉଛି ଆକର୍ଷଣୀୟ ଚିତ୍ରକଳା। ଓଡ଼ିଆ ଶିଳ୍ପୀଙ୍କ କଳା, ଚାତୁର୍ଯ୍ୟ ଓ ସୂକ୍ଷ୍ମ କାରୁକାର୍ଯ୍ୟ ଫୁଟିଉଠୁଛି ଏହି ଚିତ୍ରଗୁଡ଼ିକରେ। ଏଥିପାଇଁ ୧୪ଟି ସଂସ୍ଥାର ପ୍ରାୟ ୧୦୦ ଜଣ ଶିଳ୍ପୀ ନିୟୋଜିତ ରହିଛନ୍ତି। 

Tags: #SriMandir #ParikramaProject #Beautification #Pattachitra #Puri

LEAVE A REPLY

Please enter your comment!
Please enter your name here