ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଉତ୍ସବମୁଖର ହୋଇଛି ଶ୍ରୀକ୍ଷେତ୍ର। ସମଗ୍ର ପୁରୀ ସହରରେ ଆଧ୍ୟାତ୍ମିକ ବାତାବରଣ ଖେଳି ଯାଇଛି। ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। 

ବୁଧବାର ଅପରାହ୍ଣ ୧ଟା ୩୦ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ। ଏହାପୂର୍ବରୁ ଅପରାହ୍ଣ ପ୍ରାୟ ୧୨ଟା ୩୦ରେ ବେଦପାଠ ପୂର୍ବକ ଶ୍ରୀନଅରରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞସ୍ଥଳକୁ ବିଜେ କରିବେ। ସେଠାରେ ସେ ମହାଯଜ୍ଞର ପୂର୍ଣ୍ଣାହୁତି ଦେବେ।  

ଏହାପରେ ଗଜପତି ମହାରାଜା ଓ ମୁଖ୍ୟମନ୍ତ୍ରୀ ସଭାସ୍ଥଳକୁ ଯାଇ ନିମନ୍ତ୍ରିତ ସାଧୁସନ୍ଥ ଓ ବିଶିଷ୍ଟ ଅତିଥିଙ୍କ ସହ ସାକ୍ଷାତ କରିବେ। ସେଠାରେ ସେମାନେ ପରିକ୍ରମା ପ୍ରକଳ୍ପ ବାବଦରେ ଲୋକଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।  

ସେହିପରି ମଙ୍ଗଳବାର ସୂର୍ଯ୍ୟାସ୍ତ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆରମ୍ଭ ହୋଇଥିବା ମହାଯଜ୍ଞର ଆହୁତି ବନ୍ଦ ହୋଇଥିଲା। ଏହାସହ ବରଣୀୟ ବ୍ରାହ୍ମଣଙ୍କ ଦ୍ଵାରା ପଞ୍ଚ କସାୟନରେ ପରିକ୍ରମା ପ୍ରକଳ୍ପ ଫଳକ ଓ ପଥ ଶୋଧ ବିଧି ସମ୍ପନ୍ନ ହୋଇଥିଲା।  

ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ପୁରୀକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ତେବେ ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଲୋକାର୍ପଣ ହେବାପରେ ଶ୍ରୀମନ୍ଦିର ପରିକ୍ରମା କରିଡର ଭକ୍ତଙ୍କ ପାଇଁ ଖୋଲିବ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ୩,୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏଥିରେ ଶ୍ରୀମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ ସହ ଭକ୍ତଙ୍କ ପାଇଁ ୭ ମିଟର ଚଉଡ଼ାର ଏକ ପରିକ୍ରମା କରିଡର ନିର୍ମାଣ କରାଯାଇଛି। ଏହା ମଧ୍ୟରେ ଭକ୍ତଙ୍କ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ ହେବ।

ସେହିପରି ଉକ୍ତ ପ୍ରକଳ୍ପରେ ପାର୍କିଂ ସ୍ଥାନ, ଶ୍ରୀ ସେତୁ, ତୀର୍ଥଯାତ୍ରୀ କେନ୍ଦ୍ର, ତୀର୍ଥଯାତ୍ରୀଙ୍କ ଗତିବିଧି ପାଇଁ ଏକ ନୂଆ ରାସ୍ତା, ଶୌଚାଳୟ, କ୍ଲକ ରୁମ ଆଦି ନିର୍ମାଣ କରାଯାଇଛି। ଏହାସହ ଶ୍ରୀମନ୍ଦିର ପ୍ରଶାସନ ବିଲଡିଂ, ଶ୍ରୀମନ୍ଦିର ସ୍ୱାଗତ କେନ୍ଦ୍ର, ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ତଥା ସମୁଦ୍ରକୂଳ ବିକାଶ ଆଦି ଯୋଜନା ଅନ୍ତର୍ଭୁକ୍ତ ରହିଛି।

Tags: #SriMandir #ParikramaProject #Devotees #Puri #ଶ୍ରୀମନ୍ଦିରପରିକ୍ରମାପ୍ରକଳ୍ପ

Comment