ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଚାଲିଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗକୁ ନେଇ ହୋଇଥିବା ମାମଲାର ଶୁଣାଣି କରି ଶନିବାର ହାଇକୋର୍ଟ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଦ୍ଵାରା ଏହି ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରିବନାହିଁ।

ତେବେ ଓଡ଼ିଶା ହାଇକୋର୍ଟ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଧାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ପୂର୍ବ ଭଳି ଚାଲୁ ରଖିବାକୁ ଓସେପାକୁ ନିର୍ଦେଶ ଦେଇଛନ୍ତି। ଜାନୁଆରି ୨୦ ଓ ୨୧ ତାରିଖରେ ଏହି ସାର୍ଟିଫିକେଟ ଯାଞ୍ଚ କରାଯିବ। ହେଲେ ଏହାର ଚୂଡ଼ାନ୍ତ ତଥ୍ୟ ପ୍ରକାଶ କରିବାକୁ ଓସେପାକୁ ବାରଣ କରାଯାଇଛି।   

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଅଧୀନରେ ହେଉଥିବା କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା। ଏହି ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇବା ପାଇଁ ଓଡ଼ିଶା ହାଇକୋର୍ଟରେ କିଛି ଆଶାୟୀ ପ୍ରାର୍ଥୀ ପିଟିସନ ରୁଜୁ କରିଥିଲେ।

ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ମାମଲାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି। ଜାନୁଆରି ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ କିଛିଦିନ ପୂର୍ବେ ଓସେପା ପକ୍ଷରୁ ୧୮ ହଜାର ୮୦୫ ଜଣ ପ୍ରାର୍ଥୀଙ୍କ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା। ଏଥିରେ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଶାୟୀ ପ୍ରାର୍ଥୀମାନେ ଆନ୍ଦୋଳନ ଆରମ୍ଭ କରିଥିଲେ।

କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି ତାହା ଜଣାଇବାକୁ ପ୍ରାର୍ଥୀମାନେ ଦାବି କରିଛନ୍ତି। ପରୀକ୍ଷାରେ କଟଅଫ୍ ମାର୍କ କେତେ ରହିଥିଲା ଓ କାହାର କେତେ ମାର୍କ ରହିଛି ସେ ସବୁର ତଥ୍ୟ ଦେବାକୁ ଆଶାୟୀ ପ୍ରାର୍ଥୀମାନେ ଦାବି କରି ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

Tags: #JuniorTeacherRecruitment #OdishaHighCourt #OSEPA #Employment #SMEOdisha

Comment