ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): କଟକ-ଭୁବନେଶ୍ୱର ମଝି ଫୁଲନଖରାଠାରେ ନିର୍ମିତ ଆଇଏମଏସ ଓ ସମ ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ରୋଗୀଙ୍କୁ ଏହି ହସ୍ପିଟାଲ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ସମ୍‌ର ଏହି ନୂତନ ହସ୍ପିଟାଲରେ ବର୍ତ୍ତମାନ ୭୫୦ଟି ଶଯ୍ୟାର ସୁବିଧା ରହିଥିବାବେଳେ ଆଗାମୀ ଦୁଇବର୍ଷ ମଧ୍ୟରେ ଏହାର ସଂଖ୍ୟା ୩ ହଜାରକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରହିଛି। ଏଠାରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହ ଉଚ୍ଚମାନର ବୈଷୟିକ ଜ୍ଞାନକୌଶଳ ବ୍ୟବସ୍ଥା କରାଯାଇଛି।

ହସ୍ପିଟାଲଟିକୁ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଡାକ୍ତରଖାନା ପରିସର ବୁଲି ଦେଖିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ସୁରେଶ ଚନ୍ଦ୍ର ମହାପାତ୍ର, ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ, ଉପସଭାପତି ଶାଶ୍ୱତି ଦାସ ଏବଂ ପୂର୍ବତନ କୁଳପତି ତଥା ପ୍ରମୁଖ ଉପଦେଷ୍ଟା ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଫୁଲନଖରାଠାରେ ଉଦଘାଟିତ ସମ୍‌ର ନୂତନ ହସ୍ପିଟାଲରେ ଜେନେରାଲ ମେଡିସିନ୍, ରେସ୍ପିରେଟୋରି ମେଡିସିନ୍, ପେଡିଆଟ୍ରିକ୍ସ, ନିଓନାଟୋଲୋଜି, କ୍ରିଟିକାଲ୍ କେୟାର ମେଡିସିନ, ସାଇକିଆଟ୍ରି, ଆନେସ୍‌ଥେସିଓଲୋଜି, ରେଡିଓ-ଡାଏଗ୍ନୋସିସ୍‌, ଇମର୍ଜେନ୍ସି ମେଡିସିନ, ଇମ୍ୟୁନୋ ହେମାଟୋଲୋଜି ଆଣ୍ଡ ବ୍ଲଡ ଟ୍ରାନ୍ସଫ୍ୟୁଜନ, ରେଡିଏସନ ଅଙ୍କୋଲୋଜି, ନ୍ୟୁକ୍ଲିୟର ମେଡିସିନ, ମେଡିକାଲ ଅଙ୍କୋଲୋଜି, ପେଡିଆଟ୍ରିକ ଅଙ୍କୋଲୋଜି, ଜେନେରାଲ ସର୍ଜରି, ଅର୍ଥପେଡିକ୍ସ, ଅବ୍‌ଷ୍ଟ୍ରେଟ୍ରିକ୍ସ ଆଣ୍ଡ ଗାଏନାକୋଲୋଜି, ଇଏନ୍‌ଟି, ପାଥୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଆଦି ବିଭାଗ ରହିଛି।

ଏହି ଡାକ୍ତରଖାନାରେ ୨୪ ଘଣ୍ଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆଇସିସିୟୁ, ପିଆଇସିୟୁ, ଏନ୍‌ଆଇସିୟୁ ଏବଂ ସ୍ୱତନ୍ତ୍ର ଭାବେ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରି (ସିଟିଭିଏସ୍‌) ଓ ହେମାଟୋ ଅଙ୍କୋଲୋଜି ରୋଗୀଙ୍କ ନିମନ୍ତେ ଆଇସିୟୁ ଉପଲବ୍ଧ ରହିବ।

ଏହି ନୂତନ ହସ୍ପିଟାଲ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ଦେବ ବୋଲି କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସମ ହସ୍ପିଟାଲର ଅନ୍ୟ ଏକ କ୍ୟାମ୍ପସ ଗଞ୍ଜାମ ଜିଲ୍ଲାର ଶିତଳାପଲ୍ଲୀଠାରେ ସମର୍ପିତ ହେବାର ଯୋଜନା ରହିଛି। ୩୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ନିମନ୍ତେ  ଭିତିଭୂମି ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

Tags: #SUMHospital #SUMHospitalSecondCampus #Phulnakhara #CMNaveenPatnaik #Cuttack #Bhubaneswar #HealthCare

LEAVE A REPLY

Please enter your comment!
Please enter your name here