ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟର ୪୧ ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ଓଡ଼ିଶା ସରକାର। ଏହି କ୍ରମରେ ୧୭ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସୋମବାର ରାଜ୍ୟ ସଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ଦକ୍ଷିଣାଞ୍ଚଳ ଆରଡିସି ଥିବା ତେମ୍‌ଜେଙ୍ଗ ୱାପଙ୍ଗ ଆଓ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ ବିଭାଗର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ଵତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି ଉତ୍ତରାଞ୍ଚଳ ଆରଡିସି ହୋଇଛନ୍ତି। ଏହାସହ ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ରଞ୍ଜନ କୁମାର ଦାସଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ଦାୟିତ୍ଵ ମିଳିଛି। ଏହାଛଡ଼ା ତାଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

ସେହିପରି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ଏହାସହ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି। ଏହି କ୍ରମରେ କଟକ ମହାନଗର ନିଗମର କମିଶନର ନିଖିଲ୍ ପବନ କଲ୍ୟାଣ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସ୍ଥାନରେ ଅନୁଗୁଳର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନିଗମର କମିଶନର ହୋଇଛନ୍ତି।

ଅନ୍ୟପଟେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ମୟୁରଭଞ୍ଜର ନୂଆ ଜିଲ୍ଲାପାଳ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜ କଟକର ନୂଆ ଜିଲ୍ଲାପାଳ ହୋଇଛନ୍ତି। ଏହାସହ ବିଜୟ କୁମାର ଦାସ ପୁରୀର ଜିଲ୍ଲାପାଳ ହୋଇଛନ୍ତି। ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ଵ ମିଳିଛି।

ସେହିପରି ବଲାଙ୍ଗିର ଜିଲ୍ଲାପାଳ ଥିବା ଚଞ୍ଚଳ ରଣାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ରାୟଗଡ଼ା ଜିଲ୍ଲାପାଳ ଥିବା ସ୍ଵଧା ଦେବ ସିଂହ ନୟାଗଡ଼ର ଜିଲ୍ଲାପାଳ ହୋଇଛନ୍ତି। ଏହାସହ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମସଚିବ ଭାବେ ବଦଳି କରାଯାଇଛି।

ଏହି କ୍ରମରେ କୋରାପୁଟ ଜିଲ୍ଲାପାଳ ଥିବା ଅବଦଲ ଏମ ଅଖତାରଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମୃତ ଋତୁରାଜଙ୍କୁ ଶ୍ରମ କମିଶନର ଭାବେ ନୂଆ ଦାୟିତ୍ଵ ମିଳିଛି।

ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବାବେଳେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂହଙ୍କୁ କେନ୍ଦୁଝର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ରାଉରକେଲା ମହାନଗର ନିଗମର କମିଶନର ଥିବା ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ କୁଲକମି ଆଶୁତୋଷଙ୍କୁ ନିଗମର କମିଶନର କରାଯାଇଛି। ସେହିପରି ବିଏମସି ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ଏହାବ୍ୟତୀତ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ ସୋନାଲଙ୍କ ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଏମଏସ ମଧୁମିତାଙ୍କୁ ନୂଆ ଦାୟିତ୍ଵ ମିଳିଛି। ସେହିପରି କୀର୍ତ୍ତି ଭାଶନଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ଦାୟିତ୍ଵ ଦିଆଯାଇଥିବାବେଳେ ମୟୂରଭଞ୍ଜର ଏଡିଏମ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ସମ୍ୱଲପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ସେହିପରି ଆଦିତ୍ୟ ଗୋୟଲଙ୍କୁ ବରଗଡ଼ ଜିଲ୍ଲାପାଳ, ଅନୟା ଦାସଙ୍କୁ ସୋନପୁର ଜିଲ୍ଲାପାଳ, ମନୋଜ ସତ୍ୟବାନ ମହାଜନଙ୍କୁ ରାୟଗଡ଼ା ଜିଲ୍ଲାପାଳ, ପାୱାର ସଚିନ ପ୍ରକାଶଙ୍କୁ ମାଲକାନଗିରି ଜିଲ୍ଲାପାଳ ଓ ଗୌରବ ଶିବାଜୀ ଇସାଲୱାରଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।

ଅନ୍ୟପଟେ କୁଚିଣ୍ଡା ଉପଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କୁ ମୟୁରଭଞ୍ଜ ଏଡ଼ିଏମ ଭାବେ ବଦଳି କରାଯାଇଛି। ଏହାସହ ଦିହ୍ନା ଦସ୍ତଗରଙ୍କୁ ଗଞ୍ଜାମ ଉପଜିଲ୍ଲାପାଳ, ରିନା ପ୍ରଧାନଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ, ପ୍ରଥମେଶ ଅରବିନ୍ଦ ରାଜଶେଖରଙ୍କୁ ବାଲେଶ୍ଵର ଉପଜିଲ୍ଲାପାଳ, କିରଣଦୀପ କୌର ସହୋଟାଙ୍କୁ ରାୟଗଡ଼ା ଉପଜିଲ୍ଲାପାଳ, ରେହାନ ଖତ୍ରିଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଏବଂ ଧୀମନ ଚିକମାଙ୍କୁ କଳାହାଣ୍ଡିର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।        

Tags: #IASReshuffle #IASOfficers #DistrictCollectors #Odisha

Comment