ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ଏମ୍ସରେ ଆରମ୍ଭ ହେବ ଡ୍ରୋନ୍ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା। ମଙ୍ଗଳବାର ଏଠାରେ ପ୍ରଥମଥର ପାଇଁ ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ପରୀକ୍ଷଣ କରାଯାଇଛି। ଏଥିରେ ଡ୍ରୋନ୍ ବ୍ୟବବହାର କରି ଅପହଞ୍ଚ ଅଞ୍ଚଳରେ ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇ ପାରିବ। ଏନେଇ ଏମ୍ସ ଭୁବନେଶ୍ଵରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ସୂଚନା ଦେଇଛନ୍ତି।

ମଙ୍ଗଳବାର ଭୁବନେଶ୍ଵର ଏମ୍ସରୁ ପରୀକ୍ଷାମୂଳକ ଭାବେ ଏକ ଡ୍ରୋନ୍ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତ ପହଞ୍ଚା ଯାଇଥିଲା। ଏହାସହ ଫେରିବାବେଳେ ଉକ୍ତ ଡ୍ରୋନଟି ଟାଙ୍ଗୀରୁ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରି ଏମ୍ସକୁ ଆଣିଥିଲା।

“ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡ୍ରୋନ୍ ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ଖାସକରି ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଜୟ ସମୟରେ ଏହାର ବହୁଳ ଭାବେ ସହାୟକ ହୋଇପାରିବ। ଏଥିରେ ସମୟ କମ ଲାଗିବା ସହ ଅପହଞ୍ଚ ଅଞ୍ଚଳରେ ଲୋକମାନଙ୍କ ନିକଟରେ ସୁବିଧାରେ ଔଷଧ ଓ ଅନ୍ୟ ସ୍ୱାସ୍ଥ୍ୟସେବା ପହଞ୍ଚିପାରିବ। ଆମେ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବକୁ ଯୋଜନା କରିଛୁ”, କହିଛନ୍ତି ଡାକ୍ତର ଆଶୁତୋଷ ବିଶ୍ୱାସ।   

ଡ୍ରୋନଟି ଦିନ ୧୨ଟାବେଳେ ଏମ୍ସରୁ ବାହାରି ୧୨ଟା ୩୫ ସମୟରେ ଟାଙ୍ଗୀରେ ପହଞ୍ଚିଥିଲା। ଉଭୟ ସ୍ଥାନ ମଧ୍ୟରେ ଥିବା ୬୦ କିଲୋମିଟରର ଦୂରତାକୁ ଏହା ୩୫ ମିନିଟରେ ଅତିକ୍ରମ କରିଥିଲା। ଫେରିବା ସମୟରେ ମଧ୍ୟ ଡ୍ରୋନଟି ସମାନ ସମୟ ନେଇଥିଲା। ଏଥିରେ ୩ରୁ ୫ କିଲୋଗ୍ରାମ ଓଜନର ସାମଗ୍ରୀ ପଠାଯାଇପାରିବ।

Tags: #DroneServices #HealthServices #HealthCare #AIIMSBhubaneswar #Odisha

LEAVE A REPLY

Please enter your comment!
Please enter your name here