ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝି ବୁଧବାର ଦିନ କଂଗ୍ରେସରେ ଯୋଗ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ନିଜ ସମର୍ଥକଙ୍କ ସହ ବଳଭଦ୍ର ମାଝି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ଜାନୁଆରି ୮ ତାରିଖରେ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିଲେ।

ପିସିସି ସଭାପତି ଶରତ ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ଓ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କ ଉପସ୍ଥିତିରେ ହାତ ଧରିଛନ୍ତି ବଳଭଦ୍ର ମାଝି।

ବଳଭଦ୍ର ମାଝି ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ ୪ ଥର ଏବଂ ଲାଞ୍ଜିଗଡ଼ ଆସନରୁ ଥରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

୧୯୯୦ ଓ ୧୯୯୫ ମସିହାରେ ବଳଭଦ୍ର ମାଝି ଜନତା ଦଳ ଟିକେଟରୁ ନର୍ଲା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ପରେ ବିଜୁ ଜନତା ଦଳ (ବିଜେଡି) ଗଠନ ହେବା ପରେ ସେ ଦଳରେ ମିଶିଥିଲେ। ୨୦୦୦ ଓ ୨୦୦୪ ମସିହାରେ ସେ ବିଜେଡି ଟିକେଟରୁ ନର୍ଲା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ।

୨୦୦୯ ମସିହାରେ ସେ ବିଜେଡି ଟିକେଟରେ ଲାଞ୍ଜିଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। କିନ୍ତୁ ୨୦୧୪ ମସିହାରେ ସେ ଲାଞ୍ଜିଗଡ଼ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ ମସିହାରେ ତାଙ୍କୁ ବିଜେଡିରୁ ଟିକେଟ ମିଳିନଥିଲା।

ଜାନୁଆରି ୮ ତାରିଖରେ ବିଜେଡି ଛାଡ଼ିବା ପରେ ବଳଭଦ୍ର ମାଝି କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା।

Tags: #Politics #OdishaPolitics #Congress #BalabhadraMajhi #FormerMLA #BalabhadraMajhi

Comment