ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜଭବନରେ ହୋଇଥିବା ଏହି ଉତ୍ସବରେ ଓଡ଼ିଶା ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା କାରାଗାର ଓ ସଂସ୍କାର ସେବାର ମୋଟ ୫୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି। ରାଜ୍ୟପାଳ ରଘୁବର ଦାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପଦକ ପ୍ରଦାନ କରିଥିଲେ।

ପୋଲିସ ଓ ଅନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସାହସିକତା, ବିଶିଷ୍ଟ ସେବା ଓ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ, ରାଜ୍ୟପାଳ ପଦକ ସମେତ ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ ବାହିନୀର ମୋଟ ୩୭ ଜଣଙ୍କୁ ସମ୍ମାନିତ କରାଯାଇଥିଲା।

ଏଠାରେ ୨୦୨୩ ମସିହାରେ ମାଓ ବିରୋଧୀ ଅଭିଯାନ ପାଇଁ ୪ ଜଣ ପୋଲିସକର୍ମୀଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ସାହସିକତା ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଦୁଇଜଣ ପୋଲିସ ଅଧିକାରୀଙ୍କୁ ସେମାନଙ୍କ ବିଶିଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ସହ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ମିଳିଥିଲା। 

ଏହାସହ ୧୧ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ସହ ୭,୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ରାଜ୍ୟ ପୋଲିସ ବାହିନୀର ୨୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟପାଳ ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଅନ୍ୟପଟେ ଓଡ଼ିଶା ଅଗ୍ନିଶମ ବାହିନୀର ଜଣେ କର୍ମଚାରୀଙ୍କୁ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ସାହସିକତା ପଦକ ପ୍ରଦାନ କରାଯାଇଥିଲା। ଏହାସହ ଅନ୍ୟ ଦୁଇଜଣ ଅଗ୍ନିଶମ କର୍ମୀ ଏବଂ ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ୩ ଜଣ କର୍ମଚାରୀଙ୍କୁ ପ୍ରଶଂସନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିଥିଲା।

ଏହି ପଦକ ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ରାଜ୍ୟ ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ଏବଂ ରାଜ୍ୟ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।  

Tags: #StateLevelMedalCeremony #PresidentMedal #OdishaPolice #Governor #Bhubaneswar

Comment