ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ-ଭୁବନେଶ୍ୱର ଟୁଇନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଞ୍ଜୀବ ପଣ୍ଡା। ସୋମବାର ସେ ପୂର୍ବତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।

ଏହି ଅବସରରେ ନୂଆ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, “ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତାହାକୁ କିପରି ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ କରାଯିବ, ସେଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରାଯିବ। ଏଥିସହ ୫-ଟି ଓ ମୋ ସରକାରର ସବୁ ନିୟମ ପାଳନ କରିବା ଉପରେ ଗୁରୁତ୍ଵ ଦିଆଯିବ। ଏହାଦ୍ୱାରା ପୋଲିସ ସାଧାରଣ ଲୋକଙ୍କ ନିକଟତର ହେବା ସହ ସେମାନଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବ।”

ସଞ୍ଜୀବ ପଣ୍ଡା ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀ। ଟୁଇନ୍ ସିଟି ପୋଲିସ କମିଶନର ଭାବେ ଦାୟିତ୍ୱ ନେବା ପୂର୍ବରୁ ସେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏହାସହ ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।  

ସେହିପରି ସଞ୍ଜୀବ ପଣ୍ଡା ପୁରୀର ଆରକ୍ଷୀ ଅଧୀକ୍ଷକ, ଆଇଜି ପର୍ସନାଲ, ଆଇଜି ଓଏସଏପି, ଏଡିଜି କ୍ରାଇମବ୍ରାଞ୍ଚ ଏବଂ ରାଜ୍ୟ ପରିବହନ କମିଶନର ଭାବେ ମଧ୍ୟ ପୂର୍ବରୁ ଦାୟିତ୍ୱ ନିର୍ବାହ କରିଛନ୍ତି।

ଜାନୁଆରି ୨୪ ତାରିଖରେ ରାଜ୍ୟରେ ହୋଇଥିବା ଆଇପିଏସ ଅଧିକାରୀଙ୍କ ଅଦଳବଦଳରେ ତାଙ୍କୁ ଟୁଇନ୍ ସିଟି ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଥିଲା। ସେହିପରି ବିଦାୟୀ ପୋଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ ଏବେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ନେବେ।

Tags: #SanjeebPanda #TwinCityPoliceCommissioner #CommissionratePolice #Bhubaneswar-Cuttack #OdishaPolice

LEAVE A REPLY

Please enter your comment!
Please enter your name here