ଓଡ଼ିଶାଲାଇଭ୍ ବ୍ୟୁରୋ

“ଆଜିଠୁ ଆଉ ବିଧାନସଭାକୁ ଆସିବିନି, ଆଗକୁ ଆଉ ନିର୍ବାଚନ ଲଢ଼ିବିନି। ଏହା ମୋର ଶେଷ ବିଧାନସଭା”, ବିଧାନସଭା ବଜେଟ ଅଧିବେଶନର ଶେଷ ଦିନରେ ଗୃହରୁ ବାହାରି ମୁଣ୍ଡିଆ ମାରିବା ସହ ଭାବବିହ୍ଵଳ ହୋଇ ଏଭଳି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ।

ଶୁକ୍ରବାର ଦିନ ଶେଷ ହୋଇଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ଶେଷ ଦିନରେ ଗୃହରୁ ବାହାରିବା ପରେ ଭାବବିହ୍ଵଳ ହୋଇପଡ଼ିଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ କହିଥିଲେ ଆଉ ସେ ନିର୍ବାଚନ ଲଢ଼ିବେ ନାହିଁ। ଆଉ ବିଧାନସଭାକୁ ଆସିପାରିବି ନାହିଁ ଦୁଃଖ ଲାଗୁଛି। ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ କଂଗ୍ରେସରେ ରହିବେ ଓ ଲୋକଙ୍କ ପାଇଁ କାମ କରିବେ ବୋଲି ସେ କହିଛନ୍ତି।

ସୁରେଶ ରାଉତରାୟ ୧୯୭୭ ମସିହାରେ ଜଟଣୀ ବିଧାନସଭାରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ କ୍ରମାଗତ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। କିନ୍ତୁ ୨୦୨୪ରୁ ସେ ନିର୍ବାଚନ ମଇଦାକୁ ଓହ୍ଲାଇବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୁରେଶ ରାଉତରାୟ କହିଛନ୍ତି ତାଙ୍କର ଦୁଇ ପୁଅ ସିଦ୍ଧାର୍ଥ ରାଉତରାୟ ଏବଂ ମନ୍ମଥ ରାଉତରାୟ ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ମନ୍ମଥ ରାଉତରାୟ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏବଂ ସିଦ୍ଧାର୍ଥ ନିମାପଡ଼ାରୁ ନିର୍ବାଚନ ଲଢ଼ିବେ ବୋଲି ସେ କହିଛନ୍ତି।

Tags: #Politics #OdishaPolitics #SureshRoutray #OdishaAssembly #Election

LEAVE A REPLY

Please enter your comment!
Please enter your name here