ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ମଙ୍ଗଳବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁଇ ନେତା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ବିଧାନସଭାର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଦଳ ପକ୍ଷରୁ ଯେଉଁ ଗୁରୁଦାୟିତ୍ଵ ଦିଆଯାଇଛି ତାକୁ ନିଷ୍ଠାର ସହ ପାଳନ କରିବେ ବୋଲି ଦୁଇ ନେତା କହିଛନ୍ତି।

ସୋମବାର ଦିନ ଦୁଇ ନେତାଙ୍କ ନାଁ ଘୋଷଣା ହୋଇଥିବାବେଳେ ମଙ୍ଗଳବାର ସେମାନେ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତିନୋଟି ରାଜ୍ୟସଭା ପଦବୀ ଖାଲିହେବାକୁ ଥିବାବେଳେ ଦୁଇଜଣ ବିଜେଡି ପ୍ରାର୍ଥୀ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏବେ କାହାକୁ ଦଳ ତୃତୀୟ ପ୍ରାର୍ଥୀ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଦେବାଶିଷ ସାମନ୍ତରାୟ ତିନି ତିନି ଥର ବିଧାୟକ ହୋଇଛନ୍ତି। ସେ ପ୍ରଥମେ ତିର୍ତ୍ତୋଲ ଓ ପରେ କଟକ ବାରବାଟୀରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ଶୁଭାଶିଷ ଖୁଣ୍ଟିଆ ହେଉଛନ୍ତି ପୁରୀର ଯୁବ ବିଜେଡି ନେତା। ସେ ରାଜ୍ୟ ଯୁବ ବିଜେଡି ଉପସଭାପତି ଅଛନ୍ତି।

ଫେବ୍ରୁଆରି ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଫେବ୍ରୁଆରି ୧୫ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଫେବ୍ରୁଆରି ୧୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ରହିଛି।

ଆସନ୍ତା ଏପ୍ରିଲ ୩ ତାରିଖରେ ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଖାଲି ହେବାକୁ ଥିବା ଏହି ୩ ଆସନ ଲାଗି ନିର୍ବାଚନ ହେବ। ଏମାନଙ୍କ ସ୍ଥାନରେ ୩ ଜଣ ଯିବେ ରାଜ୍ୟସଭା। ସଂଖ୍ୟା ଦୃଷ୍ଟିରୁ ତିନିଟି ଯାକ ଆସନ ବିଜେଡି ହାତକୁ ଯିବା ନିଶ୍ଚିତ। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ

Tags: #Politics #OdishaPolitics #Nomination #Election #RajyasabhaElection #BJD #Odisha

LEAVE A REPLY

Please enter your comment!
Please enter your name here