ଓଡ଼ିଶାଲାଇଭ୍ ବ୍ୟୁରୋ

“ଓଡ଼ିଶାରେ କର୍କଟ ରୋଗର ଚିକିତ୍ସା ଏବଂ ଗବେଷଣା କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ନୂଆ ଅଧ୍ୟାୟ। ଆମେ ସମସ୍ତେ କର୍କଟ ରୋଗ ପ୍ରତି ସଚେତନ ହେବାର ସମୟ ଆସିଛି। ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଆମେ ସୁସ୍ଥ ରହିଲେ, ଆମ ରାଜ୍ୟ ସୁସ୍ଥ ରହିବ”, ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ଅବସରରେ ଏହିଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ଵରଠାରେ ଗୁରୁବାର ଦିନ ୭୫୦ ଶଯ୍ୟା ବିଶିଷ୍ଟ ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ଲୋକାର୍ପିତ ହୋଇଛି। ଏହା ହେଉଛି ବେଙ୍ଗାଳୁରୁସ୍ଥିତ ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଏକ ଶାଖା। ଏଠାରେ ସହଜ ଓ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ପଦ୍ଧତିରେ ଚିକିତ୍ସା ପାଇଁ ବ୍ୟବସ୍ଥା ହୋଇଛି।

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନରେ କର୍କଟ ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ଉପଲବ୍ଧ ରହିଛି। ଏଠାରେ ୧୨ଟି ବୃହତ୍ତ ଅସ୍ତ୍ରୋପଚାର କେନ୍ଦ୍ର, ଷ୍ଟେଟ୍ ଅଫ୍ ଦି ଆର୍ଟର ୨ଟି ଲିନିୟର ଆକ୍ସେଲେଟର ଏବଂ ଗୋଟିଏ ବ୍ରାଚି ଥେରାପି କେନ୍ଦ୍ର ରହିଛି। ଏଠାରେ ଦୈନିକ ୩ ଶହ ରୋଗୀଙ୍କୁ ରେଡିଓ ଥେରାପି ଚିକିତ୍ସା ଏବଂ ୬୦ ଜଣ ରୋଗୀଙ୍କୁ କେମୋଥେରାପି ଦେବାର ସୁବିଧା କରାଯାଇଛି। ଆଗାମୀ ଦିନରେ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରହିଛି।

ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନରେ କର୍କଟ ରୋଗୀଙ୍କୁ କମ୍ ଖର୍ଚ୍ଚରେ ଉଚ୍ଚ ମାନର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି। ଏଠାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ଵାଇ) କାର୍ଡ ମଧ୍ୟ ଗ୍ରହଣୀୟ।

ସମଗ୍ର ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ଯେଉଁଭଳି ଭାବେ ବଢ଼ିବାରେ ଲାଗିଛି, ତାହା ଚିନ୍ତାଜନକ। ବର୍ତ୍ତମାନ ସମୟରେ କର୍କଟ ରୋଗ ଏକ ଆହ୍ଵନ ଭାବେ ଉଭା ହୋଇଛି। କର୍କଟ ରୋଗର ନିରାକରଣ ଲାଗି ସମ୍ପ୍ରତି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିର ଆବଶ୍ୟକ‌ତା ରହିଥିବା ବେଳେ ବାଗଚି ଶ୍ରୀ ଶଙ୍କରା କର୍କଟ ପ୍ରତିଷ୍ଠାନ ଏହାକୁ ପୂରଣ କରିବାରେ ସମର୍ଥ ହେବ ବୋଲି ଆଶା କରାଯାଉଛି।

କର୍କଟ ରୋଗ ଅତ୍ୟନ୍ତ ବ୍ୟୟ ଓ ସମୟ ସାପେକ୍ଷ ରୋଗ ହୋଇଥିବା ବେଳେ ଅତ୍ୟାଧୁନିକ ଚିକିତ୍ସା ଲାଗି ଲୋକଙ୍କୁ ରାଜ୍ୟ ବାହାରର ବଡ଼ ବଡ଼ ସହର ଉପରେ ନିର୍ଭର କରିବାକୁ ପଡ଼ିଥାଏ। କର୍କଟ ରୋଗରେ ପୀଡ଼ିତ ଥିବା ଅନେକ ଗାଁ ଗହଳିର ଲୋକଙ୍କୁ ଅନ୍ୟ ରାଜ୍ୟକୁ ଯାଇ ଚିକିତ୍ସା କରାଇବା ସମ୍ଭବ ହୁଏ ନାହିଁ।

ପୂର୍ବ ଭାରତରେ ୫୦ ପ୍ରତିଶତ ଅର୍ଥାତ୍ ୩ ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ପ୍ରତିବର୍ଷ କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ସେମାନେ ଚିକିତ୍ସା ଲାଗି ଦକ୍ଷିଣ କିମ୍ବା ଉତ୍ତର ଭାରତର ଚିକିତ୍ସାକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ହେବା ପରେ ଏହି ଅଭାବ ଦୂର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ନିର୍ମାଣ ପାଇଁ ସୁବ୍ରତ ବାଗଚି ଏବଂ ପତ୍ନୀ ସୁସ୍ମିତା ବାଗଚି ୪୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ୨୨ ଏକର ଜମି ଯୋଗାଇ ଦେଇଛନ୍ତି।   

ବାଗଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର କର୍କଟ ନିରାକରଣ, ଶୀଘ୍ର ଚିହ୍ନଟ ଏବଂ କର୍କଟ ରୋଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ କାମ କରିବ।

ଏଠାରେ କର୍କଟ ରୋଗ ସମ୍ପର୍କିତ ଏକ ମ୍ୟୁଜିୟମ୍ ପ୍ରତିଷ୍ଠା କରାଯିବ, ଯେଉଁଥିରେ ବେଦ ଯୁଗରୁ ଅତ୍ୟାଧୁନିକ ଯୁଗ ଯାଏଁ କର୍କଟ ରୋଗ ଚିହ୍ନଟ ଓ ନିରାକରଣ ପଦ୍ଧତିକୁ ପ୍ରଦର୍ଶିତ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Tags: #BagchiSriShankarCancerHospitalAndResearchCentre #CancerTreatment #Bhubaneswar #Odisha #CMNaveenPatnaik #Inauguration

Comment