ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରହ୍ମପୁର ନିକଟସ୍ଥ ଶିତଳାପଲ୍ଲୀରେ ଉଦଘାଟିତ ହୋଇଛି ସମ୍ ହସ୍ପିଟାଲର ନୂଆ କ୍ୟାମ୍ପସ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ। ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଲକ୍ଷ୍ୟରେ ଏହି ଅତ୍ୟାଧୁନିକ ହସ୍ପିଟାଲର ନିର୍ମାଣ କରାଯାଇଛି।

ବୁଧବାର ମୁଖ୍ୟମନ୍ତ୍ରୀ ଶିତଳାପଲ୍ଲୀରେ ପହଞ୍ଚି ସମ୍ ହସ୍ପିଟାଲର ଫଳକ ଉନ୍ମୋଚନ କରିବା ସହ କ୍ୟାମ୍ପସ୍ ପରିସରରେ ବୃକ୍ଷ ରୋପଣ କରିଥିଲେ। ଏହାପରେ ଆନୁଷ୍ଠାନିକ ଭାବେ ହସ୍ପିଟାଲର ଉଦଘାଟନ ହୋଇଥିଲା।

“ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ମାନ ଏବେ ବୃଦ୍ଧି ପାଇବାରେ ଲାଗିଛି। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏନେଇ ଅନେକ ପଦକ୍ଷେପ ନିଆଯାଉଛି। ସମ୍ ହସ୍ପିଟାଲର ଏହି କ୍ୟାମ୍ପସ ଦକ୍ଷିଣ ଓଡ଼ିଶାର ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ସହ ରାଜ୍ୟରେ ସ୍ୱାସ୍ଥ୍ୟସେବାର ପରିସରକୁ ଆହୁରି ବଢ଼ାଇବାରେ ବିଶେଷ ସହାୟକ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।      

ସମ୍ ହସ୍ପିଟାଲର ଶିତଳାପଲ୍ଲୀ କ୍ୟାମ୍ପସରେ ୨୦୦ ଶଯ୍ୟାର ସୁବିଧା ରହିଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ୫୦୦କୁ ବୃଦ୍ଧି ହେବ। ଏହି ଡାକ୍ତରଖାନାରେ ସୁଲଭ ମୂଲ୍ୟରେ ବିଭିନ୍ନ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସୁବିଧା ମିଳିବା ସହ ୨୪ ଘଣ୍ଟା ରୋଗୀ ସେବା ଉପଲବ୍ଧ ହେବ।

ସେହିପରି ଏହି ହସ୍ପିଟାଲରେ ସବୁ ପ୍ରକାର ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ବିଭାଗ ରହିଛି। ଦେଶ ତଥା ବିଦେଶରେ ତାଲିମ ପ୍ରାପ୍ତ ବିଶିଷ୍ଟ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏଠାରେ ରୋଗୀମାନଙ୍କ ଚିକିତ୍ସା କରିବେ।

ଏହାପୂର୍ବରୁ ଚଳିତବର୍ଷ ଜାନୁଆରି ୨୧ ତାରିଖରେ ଭୁବନେଶ୍ୱର ନିକଟସ୍ଥ ଫୁଲନଖରାଠାରେ ସମ୍ ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ସମ୍ ହସ୍ପିଟାଲରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ସୁବିଧା ଉପଲବ୍ଧ ରହିଛି।

ସମ୍ ହସ୍ପିଟାଲର ଶିତଳାପଲ୍ଲୀ କ୍ୟାମ୍ପସର ଉଦଘାଟନ ଅବସରରେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସୋଆର ପ୍ରତିଷ୍ଠାତା ତଥା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ ଏବଂ ଉପସଭାପତି ଶାଶ୍ୱତୀ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ହସ୍ପିଟାଲର ଅନେକ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Tags: #SUMHospital #NewCampus #HealthCare #CMNaveenPatnaik #Sitalapalli #Berhampur

LEAVE A REPLY

Please enter your comment!
Please enter your name here