ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ବର୍ତ୍ତମାନ ବ୍ୟୁଟି, ମେକଅପ୍ ଓ ଫେସିଆଲ ଆଦି ସେବା କ୍ଷେତ୍ରରେ ଚାହିଦା ବଢୁଛି। ତେଣୁ ଏ ଦିଗରେ ଏସଏଚଜି ମା’ମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ରୋଜଗାରର ନୂଆ ବାଟ ସୃଷ୍ଟି କରାଯାଉଛି। ମିଶନ ଶକ୍ତି ବିଭାଗର ସହଭାଗିତାରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଓଡ଼ିଆ ବ୍ରାଇଡାଲ ମେକଅପ୍’ ପାଠ୍ୟକ୍ରମରେ ସେମାନଙ୍କୁ ମାଗଣା ତାଲିମ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଦ୍ୱିତୀୟ ବ୍ୟାଚରେ ରାଜ୍ୟର ୩୦ ଜଣ ଏସଏଚଜି ମା’ ତାଲିମ ଶେଷ କରି ବାହାରିଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗରେ ଏସଏଚଜି ମହିଳାଙ୍କ ଲାଗି ଏହି ସ୍ୱତନ୍ତ୍ର ତାଲିମ ପାଠ୍ୟକ୍ରମ କରାଯାଇଥିଲା। ଏଥିରେ ୮ଟି ଜିଲ୍ଲାର ୩୦ ଜଣ ମହିଳା ଯୋଗ ଦେଇଥିଲେ। ୩ ସପ୍ତାହ ଧରି ଚାଲିଥିବା ଏହି ଆଧୁନିକ ତାଲିମ ମାଧ୍ୟମରେ ସେମାନେ ବେସିକ୍ ଫେସିଆଲ, ବ୍ରାଇଡାଲ ମେକଅପ୍, ହେୟାର କଟିଂ, ପ୍ୟାଡିକିୟୋର, ମ୍ୟାନିକିୟୋର, ସାମ୍ପୋଇଙ୍ଗ୍, ହେଡ୍ ମସାଜ୍ ଏବଂ ଥ୍ରେଡିଂ ଆଦି ଉପରେ ଶିଖିଥିଲେ।

ତାଲିମ ଶେଷରେ ଏହି ଏସଏଚଜି ମା’ମାନଙ୍କୁ ପ୍ରମାଣପତ୍ର ଦେବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରଠାର ଗୁରୁବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଯୋଗଦେଇ ସେମାନଙ୍କ ନୂଆ ଅନୁଭୂତି ଶୁଣିବା ସହ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେମାନଙ୍କୁ ସାର୍ଟିଫିକେଟ୍ ସହ ମେକ୍ଅପ୍ କିଟ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏସ୍ଏଚଜି ମା’ଙ୍କୁ ନେଇ ଏକ ରାମ୍ପ ସୋ’ କରାଯାଇଥିଲା।

‘‘ସ୍କୁଲରେ ପଢ଼ିବା ବେଳୁ ବ୍ରାଇଡାଲ ମେକଅପ୍ ପ୍ରତି ମୋର ଆଗ୍ରହ ଥିଲା। ହେଲେ ଏ ଦିଗରେ କିପରି ଆଗକୁ ବଢ଼ିବି ସେ ବିଷୟରେ ମତେ କିଛି ଜଣା ନଥିଲା। ଏବେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେବା ଫଳରେ ମୁଁ ମେକଅପର ବିଭିନ୍ନ ଦିଗ ବିଷୟରେ ଜାଣିବାକୁ ପାଇଲି। ଏହା ମତେ ରୋଜଗାରର ନୂଆ ବାଟ ଦେଖାଇଛି’’, କହିଛନ୍ତି ଖୋର୍ଦ୍ଧାରୁ ଆସିଥିବା ଜଣେ ଏସ୍ଏଚଜି ମହିଳା ରଶ୍ମିତା ସୁବୁଦ୍ଧି।

ସେହିପରି ନୟାଗଡ଼ ଜିଲ୍ଲାରୁ ଆସି ତାଲିମ ନେଇଥିବା ଆଉ ଜଣେ ଏସ୍ଏଚଜି ମା’ ସ୍ୱର୍ଣ୍ଣିମା ବଡ଼ଜେନା କହନ୍ତି, ‘‘ଓଡ଼ିଆ ବ୍ରାଇଡାଲ ମେକଅପ ତାଲିମ ନେବା ଫଳରେ ମୋ’ ଭିତରେ ଆତ୍ମବିଶ୍ୱାସ ବଢ଼ିଛି। ମୁଁ ଆଗାମୀ ଦିନରେ ନିଜ ଅଞ୍ଚଳରେ ଏକ ପାର୍ଲର ଖୋଲିବି। ନିଜେ ରୋଜଗାର କରିବା ସହ ଅନ୍ୟ ମହିଳାମାନଙ୍କୁ ମଧ୍ୟ କାମ ଶିଖାଇ ପାରିବି। ଏହି ସୁଯୋଗ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ’’

ଏହି କାର୍ଯ୍ୟକ୍ରମ ପରେ ପରେ ଏସଏଚଜି ମା’ମାନେ ମିଶନ ଶକ୍ତି ଭବନକୁ ଆସି ବିଭାଗୀୟ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଶ୍ରୀମତୀ କାର୍ତ୍ତିକେୟନ୍ ଓଡ଼ିଆ ବ୍ରାଇଡାଲ ମେକଅପ୍ ପାଠ୍ୟକ୍ରମ ଶେଷ କରିଥିବା ଏସ୍ଏଚଜି ମା’ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

‘‘ଏସଏଚଜିଙ୍କୁ ଏସଏମଇରେ ପରିଣତ କରିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଏହାଦ୍ୱାରା ମହିଳାମାନେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ ଫଳରେ ସେମାନେ ଆର୍ଥିକ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହୋଇପାରିବେ। ତେଣୁ ଏସଏଚଜି ମହିଳାଙ୍କୁ ବିଭିନ୍ନ ବିଷୟରେ ଉନ୍ନତମାନର ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଓଡ଼ିଆ ବ୍ରାଇଡାଲ ମେକ୍ଅପରେ ତାଲିମ ନେଇଥିବା ମହିଳାମାନେ ଆଗାମୀ ଦିନରେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ’’, କହିଛନ୍ତି ମିଶନ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନ।

ଏସ୍ଏଚଜି ମା’ମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ଆଧୁନିକ  ପରିବେଶ ଭିତରେ ତାଲିମ ଦିଆଯାଇଥିଲା ସେମାନେ ନିଜ ହାତରେ ମେକଅପ୍, ହେୟାର ଷ୍ଟାଇଲିଂ ଏବଂ ସ୍ପା’ର ବିଭିନ୍ନ ସେବା ଅଭ୍ୟାସ କରିଥିଲେ। ଏଥିପାଇଁ ଆବଶ୍ୟକ ଆଧୁନିକ ଯନ୍ତ୍ରପାତି, ସହାୟକ ସାମଗ୍ରୀ ଆଦି ଯୋଗାଇ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏସଏସଚଜି ମା’ମାନଙ୍କ ମାଗଣାରେ ରହିବା, ଖାଇବା ବ୍ୟବସ୍ଥା ଓ ଯାତାୟତ ସୁବିଧା କରାଯାଇଥିଲା।

ସାର୍ଟିଫିକେଟ୍ ପ୍ରଦାନ କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ତଥା ବିଭାଗୀୟ ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଏବଂ ସ୍କୁଲ ଅଫ୍ ସର୍ଭିସେସର ନିର୍ଦ୍ଦେଶକ ସୁଗୁଣା ଶ୍ରୀନିବାସନ ପ୍ରମୁଖ ଯୋଗ ଦେଇଥିଲେ।

Tags: #WorldSkillCenter #SkillDevelopment #MissionShakti #SHGWomen #OdiaBridalMakeup #Careers #SkilledinOdisha #ବିଶ୍ୱଦକ୍ଷତାକେନ୍ଦ୍ର #ଦକ୍ଷତାବିକାଶ

LEAVE A REPLY

Please enter your comment!
Please enter your name here