ଓଡ଼ିଶାଲାଇଭ୍ ବ୍ୟୁରୋ

  • ୭ଟି ଅତ୍ୟାଧୁନିକ ବିଷୟରେ ୧ ବର୍ଷିଆ ତାଲିମ ପାଠ୍ୟକ୍ରମ
  • ଫିନିସିଙ୍ଗ୍ ସ୍କୁଲଢାଞ୍ଚାରେ ଶିଳ୍ପ ଉପଯୋଗୀ ତାଲିମ
  • ଅନ୍ତର୍ଜାତୀୟ ମାନର ଲାବୋରେଟୋରି ସାଙ୍ଗକୁ ବିଶ୍ୱସ୍ତରୀୟ ତାଲିମ

ବିଭିନ୍ନ ବିଷୟରେ ଦକ୍ଷତା ବିକାଶ ତାଲିମ ନେଇ ଆଜି ଓଡ଼ିଶାର ଯୁବକ ଯୁବତୀମାନେ ରାଜ୍ୟ ଭିତରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ନିଯୁକ୍ତି ସୁଯୋଗ ପାଇ ପାରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ ବା ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ଏହି ଧାରାକୁ ଆଉ ଏକ ଉଚ୍ଚତାକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି।

‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ମଧ୍ୟରେ ଏହି ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ‘ଫିନିସିଙ୍ଗ୍ ସ୍କୁଲ’ ବା ‘ଇଣ୍ଡଷ୍ଟ୍ରି ରେଡିନେସ’ ଢାଞ୍ଚାରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରାଯାଉଛି।

‘ବିଶ୍ୱ ଦକ୍ଷତା କେନ୍ଦ୍ର’ରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ଦୁଇଟି ବିଭାଗରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ପ୍ରାର୍ଥୀମାନଙ୍କୁ ତାଲିମ ଦିଆଯାଉଛି। ଯୁବପିଢ଼ିଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କ ନିଯୁକ୍ତି ସମ୍ଭାବନା ବୃଦ୍ଧି ପାଇଁ ଏହି କେନ୍ଦ୍ରରେ ବର୍ଷକୁ ଦୁଇଟି ବ୍ୟାଚରେ ତାଲିମ ଦିଆଯିବା ଲାଗି ଲକ୍ଷ୍ୟ ରହିଛି।

‘ବିଶ୍ୱ ଦକ୍ଷତା କେନ୍ଦ୍ର’ରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଓ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ଓ ତାଲିମ ଉପକରଣ ରହିଛି। ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ପରିଚିତ ସିଙ୍ଗାପୁରସ୍ଥିତ ଆଇଟିଇଇଏସ୍ ସଂସ୍ଥାର ସହଯୋଗକ୍ରମେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି।

ୱାର୍ଲ୍ଡ ସ୍କିଲ୍ ସେଣ୍ଟର ହେଉଛି ଦେଶର ଏକ ଅଭିନବ ଦକ୍ଷତା ବିକାଶ କେନ୍ଦ୍ର। ରାଜ୍ୟର ବିଭିନ୍ନ ଶିଳ୍ପ ତାଲିମ ଅନୁଷ୍ଠାନରୁ ଆଇଟିଆଇ ବା ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀମାନଙ୍କ ଦକ୍ଷତାକୁ ଆହୁରି ଶାଣିତ କରି ସେମାନଙ୍କୁ ବିଭିନ୍ନ ଶିଳ୍ପ କ୍ଷେତ୍ର ପାଇଁ ପ୍ରସ୍ତୁତ କରିବାକୁ ଏଠାରେ ଅତ୍ୟାଧୁନିକ ପାଠ୍ୟକ୍ରମ ଦିଆଯାଉଛି। ପ୍ରାକ୍ଟିକାଲ ଶିକ୍ଷା ସହ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ, ଯୋଗାଯୋଗ ଏବଂ ବିଭିନ୍ନ ଜୀବନ କୌଶଳ ତାଲିମ ଦିଆଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗ ଅଧୀନରେ ଇଲେକ୍ଟ୍ରିକାଲ ଟୋକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜେରେସନ, ମେକାନିକାଲ ଆଣ୍ଡ୍ ଇଲେକ୍ଟ୍ରିକାଲ ସର୍ଭିସେସ୍, ମେକାଟ୍ରୋନିକ୍ସ ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟସେନ୍ (ଲିଫ୍ଟ ଟେକ୍ନୋଲୋଜି) ଭଳି ୫ଟି ବିଷୟ ରହିଛି। ଏହି ପାଠ୍ୟକ୍ରମଗୁଡ଼ିକରେ ନାମ ଲେଖାଇବା ପାଇଁ ଓଡ଼ିଶାର ସରକାରୀ କିମ୍ବା ଘରୋଇ ଶିଳ୍ପ ତାଲିମ ବା ବୈଷୟିକ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆ/ ୩ ବର୍ଷିଆ ଡିପ୍ଲୋମା କରିଥିବା ଆବଶ୍ୟକ।

ସେହିପରି ସ୍କୁଲ ଅଫ ସର୍ଭିସେସ୍ ବିଭାଗରେ ‘ବ୍ୟୁଟି ୱେଲନେସ୍ ଆଣ୍ଡ୍ ସ୍ପା’ ଏବଂ ‘ହେୟାର ଫ୍ୟାସନ ଆଣ୍ଡ୍ ଡିଜାଇନ’ ଭଳି ଦୁଇଟି ବଜାର ଉପଯୋଗୀ ବିଷୟ ରହିଛି। ଯେ କୌଣସି ବିଷୟରେ +୨ ବା ଡିପ୍ଲୋମା ସାର୍ଟିଫିକେଟଧାରୀ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ଏହି ତାଲିମ କାର୍ଯ୍ୟକ୍ରମର ସମୟସୀମା ମଧ୍ୟ ୧ ବର୍ଷ ରହିଛି। ଚଳିତ ବର୍ଷ ‘ବ୍ୟୁଟି ୱେଲନେସ୍ ଆଣ୍ଡ୍ ସ୍ପା ପାଠ୍ୟକ୍ରମ’ରେ କେବଳ ଛାତ୍ରୀମାନେ ଆବେଦନ କରିପାରିବେ।

୨୦୨୧ ମସିହାରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଥିଲା। ଏହାର ପ୍ରଥମ ବ୍ୟାଚରୁ ବାହାରିଥିବା ପ୍ରାର୍ଥୀମାନଙ୍କ ଭିତରୁ ୨୪ ଜଣ ଆଜି ସିଙ୍ଗାପୁରରେ ବିଭିନ୍ନ କମ୍ପାନିରେ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ କରିବାର ସୁଯୋଗ ପାଇଛନ୍ତି। ସେହିପରି ବିଭିନ୍ନ ବ୍ୟାଚରେ ଉତ୍ତୀର୍ଣ୍ଣ ହେଉଥିବା ପ୍ରାର୍ଥୀମାନେ କିପରି ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ ‘ପ୍ଲେସମେଣ୍ଟ’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଦିଆଯାଉଥିବା ବିଭିନ୍ନ ବିଷୟରେ ତାଲିମ ପାଇଁ ପ୍ରାର୍ଥୀମାନଙ୍କଠାରୁ କୋର୍ସ ଫି’ ବାବଦରେ ୨୦ ହଜାର ଟଙ୍କା ନିଆଯାଉଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ କୋର୍ସ ଫି ମାଗଣା ରହିଛି। ସେହିପରି ରାଜ୍ୟ ସରକାରଙ୍କ ‘ସୁଦକ୍ଷା’ ଯୋଜନା ଅଧୀନରେ ଛାତ୍ରୀମାନଙ୍କ ପାଇଁ ଏହି କୋର୍ସ ଫି’ ସମ୍ପୂର୍ଣ୍ଣ ମାଗଣା ରହିଛି। ସେମାନଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନର ପାଠ୍ୟକ୍ରମ ଏବଂ ତାଲିମ ବ୍ୟବସ୍ଥାରେ ଗୁଣାତ୍ମକ ବିକାଶ ଆଣିବା ‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ଆଉ ଏକ ଲକ୍ଷ୍ୟ। ସେହିପରି ବିଭିନ୍ନ ପ୍ରତିଷ୍ଠାନର ଶିକ୍ଷକମାନଙ୍କୁ ଅତ୍ୟାଧୁନିକ ତାଲିମ ଦେଇ ସେମାନଙ୍କୁ ଆଗାମୀ କାଲି ପାଇଁ ପ୍ରସ୍ତୁତ କରିବାକୁ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ କାର୍ଯ୍ୟକ୍ରମ ହାତକୁ ନେଉଛି।

Tags: #WorldSkillCenter #MechanicalAndElectricalServices #SkillDevelopment #Careers #Education

Comment