ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି। ଗୁରୁବାର ସେ କେନ୍ଦୁଝରର ଧରଣୀଧର ବିଶ୍ଵବିଦ୍ୟାଳୟରେ ଜନଜାତିଙ୍କ ଉପରେ ଆୟୋଜିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ରକୁ ଉଦଘାଟନ କରିବେ। ଏହାପରେ ଅପରାହ୍ଣରେ ସେ ଭୁବନେଶ୍ଵର ସ୍ଥିତ ଉତ୍କଳ ବିଶ୍ଵବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସକାଳେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ପ୍ରଜାପିତା ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ସଦସ୍ୟମାନଙ୍କୁ ଭେଟିଥିଲେ। ସେମାନଙ୍କ ସହ ଭୋଜନ କରିବା ପରେ ସେ କେନ୍ଦୁଝର ଅଭିମୁଖେ ବାହାରିଥିଲେ।

କେନ୍ଦୁଝରରେ ରାଷ୍ଟ୍ରପତି ପ୍ରଥମେ ଗୋନାସିକା ଗ୍ରାମକୁ ଯାତ୍ରା କରି ଆଦିବାସୀ ଉତ୍ପାଦିକା ସଂଘ ସହ ଆଲୋଚନା କରିଛନ୍ତି। ଏହାପରେ ସେ ଧରଣୀଧର ବିଶ୍ଵବିଦ୍ୟାଳୟରେ ହେବାକୁଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମ ପରେ ସେ ଭୁବନେଶ୍ଵର ଅଭିମୁଖେ ବାହାରିବେ।

ଭୁବନେଶ୍ଵରରେ ରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେବେ। ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ପିଏଚଡି ଡିଗ୍ରୀ, ସ୍ଵର୍ଣ୍ଣପଦକ ଓ ଆର୍ଥିକ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉଭୟ କେନ୍ଦୁଝର ଓ ଭୁବନେଶ୍ଵରରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ବୁଧବାର ଅପରାହ୍ଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜର ଖିଚିଂରେ ପହଞ୍ଚିଥିଲେ। ସେଠାରେ ସେ ମା’ କୀଚକେଶ୍ଵରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ରାଇରଙ୍ଗପୁରରେ ହୋଇଥିବା ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। କାର୍ଯ୍ୟକ୍ରମ ପରେ ସେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରିଯାପନ କରିଥିଲେ।

Tags: #PresidentDroupadiMurmu #OdishaVisit #Kendujhar #Bhubaneswar

LEAVE A REPLY

Please enter your comment!
Please enter your name here