ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଉପହାର ଦେଲେ କେନ୍ଦ୍ର ସରକାର। ମଙ୍ଗଳବାର ଦିନ ଓଡ଼ିଶା ଗସ୍ତରରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।

ଚଣ୍ଡିଖୋଲଠାରେ ଆୟୋଜିତ ବିରାଟ ସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟ ଜଗନ୍ନାଥରୁ ନିଜ ଭାଷଣ ଆରମ୍ଭ କରିଥିଲେ। ଏହି ଅବସରରେ ସେ କହିଥିଲେ ଓଡ଼ିଶାରେ ଆଜି ବିକାଶର ନୂଆ ଧାରା ଆରମ୍ଭ ହୋଇଛି।

ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଓଡ଼ିଶା ଏବଂ ଭାରତର ବିକାଶ ପାଇଁ ବିଜୁବାବୁଙ୍କ ଯୋଗଦାନ ସ୍ମରଣୀୟ ହୋଇ ରହିଛି। ସମଗ୍ର ଦେଶବାସୀଙ୍କ ପକ୍ଷରୁ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ସେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ କହିଥିଲେ ଆଜିର ପ୍ରକଳ୍ପ ଯୋଗୁଁ ଓଡ଼ିଶାରେ ନୂଆ ରୋଜଗାର ସମ୍ଭାବନା ସୃଷ୍ଟି ହେବ।

ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସର୍ବଦା ଗୁରୁତ୍ୱ ଦେଇଆସୁଛି। ଓଡ଼ିଶାର ରେଳ ବଜେଟ ପ୍ରାୟ ୧୨ ଗୁଣା ବଢ଼ିଛି। ଗଞ୍ଜାମରେ ଲୁଣି ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଶିଳାନ୍ୟାସ ହୋଇଛି। ଲୁଣି ଜଳକୁ ପାନୀୟ ଉପଯୋଗୀ ଜଳରେ ପରିଣତ କରାଯିବ। ଏହାଦ୍ୱାରା ଦୈନିକ ୫୦ ଲକ୍ଷ ଲିଟର ପାନୀୟ ଜଳ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ସମସ୍ତ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ପିଏମ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି। ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାହନ କରାଯିବ। ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା। ବଳକା ବିଜୁଳି ସରକାରଙ୍କୁ ବିକି ଉପଭୋକ୍ତା ଲାଭବାନ ହୋଇପାରିବେ ବୋଲି ସେ କହିଥିଲେ।

ଚଣ୍ଡିଖୋଲଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରି କହିଥିଲେ, “କଳିଙ୍ଗନଗରକୁ ଶିଳ୍ପର ହବ କରିବାକୁ ବିଜୁ ବାବୁ ଚିନ୍ତା କରିଥିଲେ। ଆଜି ତାଙ୍କ ସ୍ଵପ୍ନ ସାକାର ହୋଇଛି। କଳିଙ୍ଗନଗର ଆଜି ଶିଳ୍ପାୟନର ପ୍ରମୁଖ କେନ୍ଦ୍ରରେ ପରିଣତ ହୋଇଛି।”

ଓଡ଼ିଶାକୁ ଅନେକ ଶିଳ୍ପ ଭେଟିଦେଇଥିବାରୁ ପ୍ରଧାମନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ୮ ଥାକିଆ ରାସ୍ତାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ ଅଏଲ୍ କର୍ପୋରେସନ ଲିମିଟେଡ ମନୋଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ କରାଯାଇଛି। ଏହା ସହ ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ଯାଏଁ ୩୪୪ କିମି ପାଇପ୍ ଲାଇନର ଉଦଘାଟନ ହୋଇଛି। ୧୬୨ କିମିର ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ ଦୋହରୀକରଣର ଉଦଘାଟନ କରାଯାଇଛି।

କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର ମଧ୍ୟରେ ନୂଆ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେନରୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଯାଜପୁରଠାରୁ ଉତ୍ତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କଣ୍ଟେନର ଟ୍ରେନ୍ ସେବାର ଶୁଭାରମ୍ଭ କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ। ଏହି ମାର୍ଗରେ ପ୍ରଥମ ଥର ପାରାଦୀପ-କେନ୍ଦୁଝରଗଡ଼ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ।

Tags: #PMNarendraModi #CMNaveenPatnaik #Odisha #Politics #Chandikhol

Comment