ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାରେ ପ୍ରଥମଥର ପାଇଁ ପାଣି ତଳେ ଚାଲିଲା ମେଟ୍ରୋ ଟ୍ରେନ। ବୁଧବାର ଏଠାରେ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଲାଇନର ଲୋକାର୍ପଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାୱଡା ଷ୍ଟେସନରେ ସବୁଜ ପତାକା ଦେଖାଇ ଏହି ମେଟ୍ରୋ ଲାଇନର ଶୁଭାରମ୍ଭ କରିଛନ୍ତି।

ବୁଧବାର ଉଦଘାଟିତ ହୋଇଥିବା ଏହି ଅଣ୍ଡରୱାଟର ମେଟ୍ରୋରେ କୋଲକାତାରେ ହୁଗୁଳି ନଦୀ ତଳେ ୫୨୦ ମିଟରର ୨ଟି ସୁଡ଼ଙ୍ଗ ନିର୍ମାଣ କରାଯାଇଛି। ଏହା କୋଲକାତାର ହାୱଡା ମୈଦାନରୁ ଏସପ୍ଲାନେଡ ଭିତରେ ନିର୍ମିତ ୪.୮ କିଲୋମିଟର ମେଟ୍ରୋ ଲାଇନର ଏକ ଅଂଶ। ସୁଡ଼ଙ୍ଗ ଦୁଇଟିକୁ ହୁଗୁଳି ନଦୀର ୩୦ ମିଟର ତଳେ ନିର୍ମାଣ କରାଯାଇଛି।

ଏହି ଅଣ୍ଡରୱାଟର ମେଟ୍ରୋ ଦ୍ଵାରା ମାତ୍ର ୪୫ ସେକେଣ୍ଡରେ ହୁଗୁଳି ନଦୀକୁ ପାର କରିହେବ। ଏହାଦ୍ଵାରା ହାୱଡା ଓ କୋଲକାତା ସହର ମଧ୍ୟରେ ଗମନାଗମନ ସୁବିଧା ବୃଦ୍ଧି ପାଇବ।

ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ଏହି ଅଣ୍ଡରୱାଟର ମେଟ୍ରୋରେ ବସି ଯାତ୍ରା କରିଥିଲେ। ଏହି ସମୟରେ କିଛି ସ୍କୁଲ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କ ସହ କଥାବାର୍ତ୍ତା କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।   

ଏହି ଉଦଘାଟନୀ ଅବସରରେ ପଶ୍ଚିମବଙ୍ଗର ରାଜ୍ୟପାଳ ସି ଭି ଆନନ୍ଦ ବୋଷ, ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ତଥା ବିଧାୟକ ଶୁଭେନ୍ଦୁ ଅଧିକାରୀ ଏବଂ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ଯୋଗ ଦେଇଥିଲେ। ଏହାସହ ଭାରତୀୟ ରେଳବାଇର ଅନେକ ଅଧିକାରୀ ଓ କର୍ମଚାରୀ ଏଠାରେ ଉପସ୍ଥିତ ଥିଲେ।    

Tags: #UnderwaterMetro #HooghlyRiver #MetroTrain #IndianRailways #Kolkata

Comment