ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟ ରାଜନୀତି। ନୟାଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ୱାଧାଦେବ ସିଂଙ୍କ ନେତୃତ୍ୱରେ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ଅନ୍ୟ ଅଧିକାରୀଙ୍କୁ ନେଇ ନିର୍ବାଚନ ପ୍ରସ୍ତୁତିକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ ରାଜ୍ୟ ଅତିରିକ୍ତ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର। ନିର୍ବାଚନ ସୁପରିଚାଳନା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ନୟାଗଡ଼ ଜିଲ୍ଲାର ସମୁଦାୟ ୮ ଲକ୍ଷ ଭୋଟର ରହିଛନ୍ତି। ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ଜିଲ୍ଲାରେ ୯୩୭ଟି ବୁଥର ବ୍ୟବସ୍ଥା କରାଯାଇଛି। ବୁଥ ପରିଚାଳନା ସହ ସମ୍ବେଦନଶୀଳ ବୁଥଗୁଡ଼ିକରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଉପରେ ବୈଠକରେ ଆଲୋଚନା ହୋଇଛି।

ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ୩ଟି ଲୋକସଭା ନିର୍ବାନମଣ୍ଡଳୀ କନ୍ଧମାଳ, କଟକ ଓ ପୁରୀ ଅଧୀନରେ ଆସୁଛି। ଜିଲ୍ଲାରେ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ କନ୍ଧମାଳ ଲୋକସଭା ଆସନ ଅଧୀନରେ ଦଶପଲ୍ଲାରେ ଭୋଟ ଗ୍ରହଣ ହେବ।

ସେହିପରି ତୃତୀୟ ପର୍ଯ୍ୟାୟରେ କଟକ ଓ ପୁରୀ ଲୋକସଭା ଆସନ ଅଧୀନରେ ଖଣ୍ଡପଡ଼ା, ନୟାଗଡ଼ ଓ ରଣପୁରରେ ମତଦାନ କରିବେ ଭୋଟର।

ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ରାଜ୍ୟ ଅତିରିକ୍ତ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

Tags: #Politics #OdishaPolitics #Nayagarh #ElectionPreparationMeeting #DistrictAdministration

Comment