ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା କୁଲଡ଼ିହା ଅଭୟାରଣ୍ୟରୁ ୬ ଜଣ ଶିକାରୀ ଗିରଫ ହୋଇଛନ୍ତି। ବୁଧବାର ରାତିରେ ବନ ବିଭାଗ ଓ ବାଲେଶ୍ଵର ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ଉ କରି ଶିକାରୀମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୬ଟି ଦେଶୀ ବନ୍ଧୁକ ସହ କିଛି ଶିଙ୍ଗ ଜବତ ହୋଇଛି। ଏନେଇ ରାଜ୍ୟ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।

କୁଲଡ଼ିହା ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ଆହତ ହେବା ପରେ ପୋଲିସ ଓ ବନ ବିଭାଗ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। କୁଲଡ଼ିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ର୍ଫୋସ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଡେଉଁଚଖାଲ ଅଞ୍ଚଳରୁ ଶିକାରୀମାନଙ୍କୁ ଗିରଫ କରାଯାଇଥିଲା।

ତେବେ ଗିରଫ ହୋଇଥିବା ଶିକାରୀମାନେ ଅନେକ ଦିନରୁ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ଶିକାର କରୁଥିବା ଅଭିଯୋଗ ହୋଇଛି। ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି।

କିଛି ଦିନ ପୂର୍ବେ କୁଲଡ଼ିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହେଇଥିଲେ। ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବାବେଳେ ଶିକାରୀମାନେ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ୩ ଜଣ ବନ କର୍ମଚାରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

Tags: #KuldihaWildlifeSanctuary #Hunters #ForestDept #Police #Baleswar

Comment