ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରେନ୍‌ ଷ୍ଟ୍ରୋକ ବା ମସ୍ତିଷ୍କାଘାତରୁ ସୁସ୍ଥ ହୋଇ ନୂଆ ଜୀବନ ପାଇଛନ୍ତି ଭୁବନେଶ୍ୱରର ମଞ୍ଜୁଲତା ବାହିନୀପତି।

ଷ୍ଟ୍ରୋକ୍‌ ଜଣେ ମଣିଷର ସ୍ଵପ୍ନକୁ ଧୂଳିସାତ କରିଦିଏ। ଏହା ଯୋଗୁଁ କିଏ ପ୍ରାଣ ହରାଏ ତ ଆଉ କିଏ ଶାରୀରିକ ଭାବେ ଅକ୍ଷମ ହୋଇଯାଏ। ଷ୍ଟ୍ରୋକ୍‌ ପରେ ଆଉ କାହାକୁ ମିଳିଯାଏ ନୂଆ ଜୀବନ। ଷ୍ଟ୍ରୋକ୍‌ର ଶିକାର ହୋଇ ନୂଆ ଜୀବନ ପାଇଥିବା ଜଣେ ମହିଳା ହେଉଛନ୍ତି ମଞ୍ଜୁଲତା ବାହିନୀପତି।

ମଞ୍ଜୁଲତାଙ୍କର ବୟସ ୪୦ ବର୍ଷ। ନିଜ ପରିବାର ସହ ସେ ଭୁବନେଶ୍ୱରରେ ରୁହନ୍ତି। ଗୋଟିଏ ମିଡିଆ କମ୍ପାନିରେ ଚାକିରି କରନ୍ତି ମଞ୍ଜୁଲତା। ଗତ ୫ ମାସ ତଳେ ‘ଷ୍ଟ୍ରୋକ୍’ରେ ଆକ୍ରାନ୍ତ ହୋଇଥିବା ମଞ୍ଜୁଲତା ଏବେ ଧୀରେ ଧୀରେ ସ୍ୱାଭାବିକ ଜୀବନକୁ ଫେରୁଛନ୍ତି।

ଗତ ଜୁନ ମାସର ଘଟଣା। ରଜ ପାଇଁ ବେଶ୍ ଖୁସିର ମାହୋଲ ଥିଲା। ପିଠା କରିବାକୁ ବିରିଚାଉଳ ଭିଜେଇ ଥିଲେ ମଞ୍ଜୁଲତା। ପରେ ବିରିଚାଉଳ ବାଟିବା ସମୟରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ହଠାତ ତାଙ୍କୁ ସବୁକିଛି ଅନ୍ଧାର ଦେଖାଗଲା। ବହୁତ ଗରମ ଲାଗିବା ସହ ଦେହରୁ ଗମଗମ ଝାଳ ବାହାରିଲା। ପରେ ସେ ଅଚେତ ହୋଇପଡ଼ିଲେ। ପରିବାର ଲୋକ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମଞ୍ଜୁଲତା ବ୍ରେନ ଷ୍ଟ୍ରୋକ୍‌ର ଶିକାର ହୋଇଥିବା ଡାକ୍ତରଙ୍କଠାରୁ ଜାଣିବାକୁ ପାଇଥିଲେ। ଷ୍ଟ୍ରୋକ୍‌ ଯୋଗୁଁ ତାଙ୍କର ଡାହାଣ ପଟ ହାତ, ଗୋଡ଼ ଏବଂ ମୁହଁ ଅଚଳ ହୋଇପଡ଼ିଥିଲା।

ଡାକ୍ତରଙ୍କ ଭାଷାରେ ମଞ୍ଜୁଲତାଙ୍କର ହେମୋରେଜିକ୍ ଷ୍ଟ୍ରୋକ୍ ହୋଇଥିଲା। ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପ ତାଙ୍କର ଏହି ଷ୍ଟ୍ରୋକର ପ୍ରମୁଖ କାରଣ ଥିଲା ବୋଲି ଡାକ୍ତର କୁହନ୍ତି। ଠିକ୍ ସମୟରେ ମଞ୍ଜୁଲତାଙ୍କର ଚିକିତ୍ସା କରାଯାଇଥିବାରୁ ସେ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଲେ। କିଛିଦିନ ନିୟମିତ ଫିଜିଓଥେରାପି କରିବା ପରେ ଦୈନନ୍ଦିନ କାମ କରିବା ତାଙ୍କ ପାଇଁ ଅପେକ୍ଷାକୃତ ସହଜ ହୋଇପାରିଲା।

ଷ୍ଟ୍ରୋକ୍ ହେବାର ୪ରୁ ସାଢ଼େ ୪ ଘଣ୍ଟା ମଧ୍ୟରେ ରୋଗୀଙ୍କୁ ଷ୍ଟ୍ରୋକ୍ ଚିକିତ୍ସା ଉପଲବ୍ଧ ଥିବା ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇବା ଦ୍ଵାରା ରୋଗୀ ନିଶ୍ଚିତ ଭାବେ ଏକ ବଡ଼ ଅଘଟଣରୁ ବର୍ତ୍ତୀ ପାରିବେ ବୋଲି ବିଶେଷଜ୍ଞ କୁହନ୍ତି। ଏହାକୁ ଗୋଲ୍ଡେନ ଆଓ୍ଵାର ବୋଲି କୁହାଯାଏ। ରୋଗୀଙ୍କର ସିଟିସ୍କାନ୍ ବା ଏମଆରଆଇ କରାଗଲେ ଏହା ଷ୍ଟ୍ରୋକ୍ କି ନୁହେଁ ସେ ବିଷୟରେ ସ୍ପଷ୍ଟ ହୋଇଥାଏ। ଯଦି ଜଣେ ରୋଗୀର ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ, ତେବେ ଏହି ପରୀକ୍ଷା ଫଳରେ ଷ୍ଟ୍ରୋକର ପ୍ରଭାବ କେତେ ବେଶି ତାହା ମଧ୍ୟ ଜଣାପଡ଼ିଥାଏ। ସେହି ଅନୁଯାୟୀ ରୋଗୀଙ୍କର ଚିକିତ୍ସା କରାଯାଏ। 

ମଞ୍ଜୁଲତା ଏବେ ସୁସ୍ଥ ଅଛନ୍ତି ଓ ପରିବାର ସହ ନିଜ ଚାକିରି କ୍ଷେତ୍ରରେ ନିଜର ଦାୟିତ୍ଵ ତୁଲାଉଛନ୍ତି। ଉଚ୍ଚ ରକ୍ତଚାପ ଥିଲେ ଏହାକୁ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସିତ ହେବା ଲାଗି ବାର୍ତ୍ତା ଦେଇଛନ୍ତି ମଞ୍ଜୁଲତା।

“ଷ୍ଟ୍ରୋକ୍ କ’ଣ ମୁଁ ଜାଣିନଥିଲି, ଷ୍ଟ୍ରୋକ୍‌ର ଶିକାର ହେବା ପରେ ଏହା ବିଷୟରେ ଅନୁଭବ କଲି। ମୋର ଉଚ୍ଚ ରକ୍ତଚାପ ଥିଲା, ମୁଁ ଏହାକୁ ହାଲୁକା ଭାବରେ ନେଇଥିଲି। ଜାଣିନଥିଲି ଉଚ୍ଚ ରକ୍ତଚାପ ଯୋଗୁଁ ଷ୍ଟ୍ରୋକ୍ ହେବ ବୋଲି। ଯଦି କେହି ଷ୍ଟ୍ରୋକ୍‌ ହେବା ଭଳି ଲକ୍ଷଣ ଦେଖନ୍ତି ଅବହେଳା ନକରି ଡାକ୍ତରଖାନା ଯିବା ଜରୁରୀ”, କୁହନ୍ତି ଷ୍ଟ୍ରୋକରୁ ସୁସ୍ଥ ହୋଇଥିବା ମଞ୍ଜୁଲତା ବାହିନୀପତି।

Tags: #PostStrokeManagement #Stroke #physiotherapy #Brainstroke #Doctorsadvice #treatment #odiahealthtips #Doctorsadvice #treatment

Comment