ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ୨୦୨୪ ଯୁକ୍ତ ୨ ପରୀକ୍ଷା ଖାତାଦେଖା। ଚଳିତ ବର୍ଷ ମଧ୍ୟ ୨ଟି ପର୍ଯ୍ୟାୟ ଏହି ପରୀକ୍ଷା ଖାତା ଦେଖାଯିବ। ଉଭୟ ଅନଲାଇନ ଓ ଅଫଲାଇନରେ ଖାତା ମୂଲ୍ୟାଙ୍କନ କରାଯିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ ଯୁକ୍ତ ୨ ଖାତାଦେଖା ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ଯାଏଁ ଚାଲିବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୪ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୧୫ ତାରିଖ ଯାଏଁ ଚାଲିବ। ୧୧୦ଟି ଜୋନରେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ହେବ।

ସେହିପରି ଯୁକ୍ତ ୨ ଖାତା ମୂଲ୍ୟାଙ୍କନ ପାଇଁ ପ୍ରାୟ ୧୨ ହଜାରରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ସାମିଲ ହେବେ। ପ୍ରଥମ ପର୍ଯ୍ୟାୟରେ ୪୧ଟି ଜୋନରେ ଅନଲାଇନ ମାଧ୍ୟମରେ ଖାତାଦେଖା ହେବ। ଏହାପରେ ଅଫଲାଇନରେ ୬୯ଟି ଜୋନରେ ଖାତା ମୂଲ୍ୟାଙ୍କନ କରାଯିବ।

ସର୍ବଭାରତୀୟ ସ୍ତରରେ ବିଭିନ୍ନ ପ୍ରବେଶିକା ପରୀକ୍ଷାକୁ ନଜରରେ ରଖି ମେ’ ମାସ ମଧ୍ୟ ଭାଗରେ ଯୁକ୍ତ ୨ ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶ କରିବାକୁ ସିଏଚଏସଇ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଜୁନ ମାସ ଦ୍ଵିତୀୟ ସପ୍ତାହ ମଧ୍ୟରେ ଅନ୍ୟ ସମସ୍ତ ବିଭାଗର ପରୀକ୍ଷା ଫଳ ପ୍ରକାଶ କରାଯିବ।

୨୦୨୪ର ଯୁକ୍ତ ୨ ପରୀକ୍ଷା ଫେବ୍ରୁଆରି ୧୬ ତାରିଖରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିଥିଲା। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେଥିରୁ ୩ ଲକ୍ଷ ୬୦ ହଜାର ୧୯୮ ଜଣ ରେଗୁଲାର ଓ ୨୬ ହଜାର ୫୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି।

ଯୁକ୍ତ ୨ କଳା ବିଭଗରେ ସର୍ବାଧିକ ୨ ଲକ୍ଷ ୩୭ ହଜାର ୭୫୦ ଜଣ ପରୀକ୍ଷାର୍ଥୀ ରହିଛନ୍ତି। ସେହିପରି ଯୁକ୍ତ ୨ ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦ ଜଣ, ବାଣିଜ୍ୟରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫,୭୯୧ ଜଣ ଛାତ୍ରଛାତ୍ରୀ ରହିଥିଲେ।

Tags: #Plus2Exam #CopyEvaluation #Students #EvaluationCenters #CHSE

Comment