ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

ଡାକ୍ତର ଦାମୋଦର ରାଉତ ମାର୍ଚ୍ଚ ୧୮ ତାରିଖ ବିଳମ୍ବିତ ରାତିରେ ହୃଦଘାତର ଶିକାର ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରେ ରଖାଯାଇଥିଲା।

ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଶୁକ୍ରବାର ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ଭୁବନେଶ୍ଵର ସ୍ଥିତ ବାସ ଭବନକୁ ନିଆଯାଇଥିଲା। ସେଠାରେ ଅନେକ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହାପରେ ଦାମୋଦର ରାଉତଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ନିଆଯାଇ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏଠାରେ ଅନେକ ବିଧାୟକ ତାଙ୍କ ଶେଷ ଦର୍ଶନ କରିଛନ୍ତି। ସେଠାରୁ ପାର୍ଥିବ ଶରୀରକୁ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନିଆଯାଇଥିଲା। ପରେ ପାର୍ଥିବ ଶରୀରକୁ ପାରାଦୀପ ନିଆଯିବ।

ଓଡ଼ିଶା ରାଜନୀତିର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ଡାକ୍ତର ଦାମୋଦର ରାଉତ। ତାଙ୍କ ଜନ୍ମ ୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ମାଳିପୁର ଗାଁରେ ହୋଇଥିଲା। ସେ ବାଲିକୁଦା-ଏରସମା ଏବଂ ପାରାଦୀପ ବିଧାନସଭା ଆସନରୁ ମୋଟ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସରକାରରେ ୮ରୁ ଅଧିକ ବିଭାଗର ମନ୍ତ୍ରୀ ପଦ ମଧ୍ୟ ସେ ସମ୍ଭାଳି ଥିଲେ।

୧୯୭୭ ମସିହାରେ ଜନତା ଦଳ ଟିକେଟରେ ଏରସମା ଆସନରୁ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଡାକ୍ତର ଦାମୋଦର ରାଉତ। ୧୯୭୭ରୁ ୧୯୮୫ ମସିହା ଯାଏଁ ସେ ଜନତା ଦଳ ଟିକେଟରେ ଏରସମାରୁ ବିଧାୟକ ହୋଇଥିଲେ। ସେ ପୁଣି ୧୯୯୦ରୁ ୧୯୯୫ ଯାଏଁ  ଜନତା ଦଳ ଟିକେଟରେ ଏରସମାରୁ ବିଧାୟକ ରହିଥିଲେ।

ଏହାପରେ ଡାକ୍ତର ଦାମୋଦର ରାଉତ ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଟିକେଟରେ ବାଲିକୁଦା-ଏରସମାରୁ ଏବଂ ୨୦୦୯ରୁ ୨୦୧୯ ଯାଏଁ ପାରାଦୀପରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ। ତାଙ୍କ ରାଜନୈତିକ ଜୀବନରେ ସେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଭିନ୍ନକ୍ଷମ ସଶକ୍ତିକରଣ ତଥା ସାମାଜିକ କଲ୍ୟାଣ, ପଞ୍ଚାୟତିରାଜ, ଅବକାରୀ, ମହିଳା ଓ ଶିଶୁ ବିକାଶ, ସୂଚନା ଓ ଲୋକସଂପର୍କ, ସଂସ୍କୃତି, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଉନ୍ନୟନ, ସମବାୟ ଏବଂ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ବିଭାଗରେ ମନ୍ତ୍ରୀ ରହିଥିଲେ।

 Tags: #DrDamodarRout #VeteranLeader #Politician #Politics #Odisha  

 

Comment