ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): କୋଟିଆ ପରେ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଇଲାକାର ଭୋଟ ବ୍ୟାଙ୍କ ଉପରେ ଏବେ ନଜର ପକାଇଛି ଆନ୍ଧ୍ରପ୍ରଦେଶ। ଏଥିପାଇଁ ଅଙ୍କକଷା ଆରମ୍ଭ କରିଛନ୍ତି ଆନ୍ଧ୍ରପ୍ରଦେଶର ନେତା ଓ ପ୍ରଶାସନିକ ଅଧିକାରୀ।

ଓଡ଼ିଶାର ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଲକ ଅଧୀନ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ବୁରାତାଲ୍, ତୁମ୍ବା ଓ ବି.ନୂଆଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆନ୍ଧ୍ରପ୍ରଦେଶ ସରକାର ବର୍ଷସାରା ଜମିପଟ୍ଟା, ବିଦ୍ୟୁତ, ଗମନାଗମନ, ଶିକ୍ଷା ଓ ସ୍ଵାସ୍ଥ୍ୟସେବା ଏବଂ ଗର୍ଭବତୀଙ୍କୁ ଚିକିତ୍ସା ଆଦି ବିଭିନ୍ନ ସୁବିଧା ଯୋଗାଇ ଦେଇଆସୁଥିବା ନଜିର ରହିଛି। ଏଠାରେ ଆନ୍ଧ୍ରପ୍ରଦେଶର ୨୫ରୁ ଅଧିକ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରାୟ ଦୁଇ ଶହରୁ ଅଧିକ ଭୋଟରଙ୍କ ହାତରେ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଭୋଟର କାର୍ଡ ରହିଛି।

୨୦୨୦ ମସିହାରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନରେ ତୁମ୍ବା ପଞ୍ଚାୟତ କୁଲାଡ଼ି ଗ୍ରାମର ଜଣେ ମହିଳା ଆନ୍ଧ୍ରପ୍ରଦେଶ ତାଲଗୁରାଣ୍ଡିର ୯ ନମ୍ବର ୱାର୍ଡସଭ୍ୟା ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେହିପରି ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ମଣ୍ଡଳକୁ ଲାଗି ରହିଥିବା ପାତ୍ରପୁର ବ୍ଲକ ଅଧୀନ ତେଲୁଗୁ ଭାଷାଭାଷୀ ଗ୍ରାମ ବି.ନୂଆଗାଁ ପଞ୍ଚାୟତର ଟି.ବ୍ରହ୍ମପୁର ଓ ଜୟପୁରର କିଛି ଲୋକ ଆନ୍ଧ୍ର ଯାଇ ଭୋଟ ଦେଉଥିବା ସେଠାକାର କିଛି ପରାଜିତ ସରପଞ୍ଚ ପ୍ରାର୍ଥୀ ଅଭିଯୋଗ କରିଥିଲେ।

ଏଥିରୁ ସୀମାନ୍ତ ଇଲାକାରେ ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ସ୍ପଷ୍ଟ ବାରି ହୋଇପଡ଼ୁଛି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସୀମାନ୍ତ ଗ୍ରାମର ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଆନ୍ଧ୍ରପ୍ରଦେଶ ନିଜର ରଣନୀତି ପ୍ରସ୍ତୁତ କରିସାରିଥିବା ଆଶଙ୍କା କରାଯାଉଛି।

ଆସନ୍ତା ମେ’ ୧୩ ତାରିଖରେ ଓଡ଼ିଶାର ବ୍ରହ୍ମପୁର ଲୋକସଭା ଓ ବିଧାନସଭା ଆସନ ସମେତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ମତଦାନ ହେବ। ବ୍ରହ୍ମପୁର ଲୋକସଭା ପାଇଁ ପାତ୍ରପୁର ବ୍ଲକ ଅଧୀନ ତୁମ୍ବା ଓ ବୁରାତାଲ ପଞ୍ଚାୟତର କୁଲାଡ଼ି, ସାତପୁରି, ବାଣ୍ଟୁଆସାହି ଓ ଗୁଡ଼ିଖଳା ପ୍ରମୁଖ ଗାଁର ଜନସାଧାରଣ ଭୋଟ ଦେବେ।

ଆନ୍ଧ୍ରପ୍ରଦେଶର ମାନଚିତ୍ରରେ କୁଲାଡ଼ି ଗ୍ରାମ ମଞ୍ଜୁଷାମଣ୍ଡଳର ତାଳଗୁରାଣ୍ଠି ପଞ୍ଚାୟତର ୯ ନମ୍ବର ୱାର୍ଡରେ ରହିଛି। ଫଳରେ ଉପରୋକ୍ତ ସମସ୍ତ ଗାଁ ସମେତ ଆନ୍ଧ୍ରପ୍ରଦେଶର ଇଛାପୁର ମଣ୍ଡଳକୁ ଲାଗି ରହିଥିବା ବି.ନୂଆଗାଁ ଓ ଜୟନ୍ତୀପୁର ପଞ୍ଚାୟତର କିଛି ଗ୍ରାମବାସୀ ଆନ୍ଧ୍ରପ୍ରଦେଶରେ ଭୋଟ ଦେବାର ଅଧିକ ସମ୍ଭାବନା ରହିଛି। କାରଣ ସେମାନଙ୍କ ପାଖରେ ଉଭୟ ରାଜ୍ୟର ଭୋଟର କାର୍ଡ ରହିଛି।

ସୀମାନ୍ତ ବି.ନୂଆଗାଁ ସରପଞ୍ଚ ମୋହନ ରାଓ କହିଛନ୍ତି, ଆମ ପଞ୍ଚାୟତର ଜନସାଧାରଣଙ୍କ ନିକଟରେ ଉଭୟ ରାଜ୍ୟର ଭୋଟର କାର୍ଡ ରହିଛି। ଅଧିକ ଭୋଟର ଆନ୍ଧ୍ରପ୍ରଦେଶରେ ଭୋଟାର ସମ୍ଭାବନା ରହିଛି। ଓଡ଼ିଶା ସରକାର ଦିଗରେ ଆଗୁଆ ପଦକ୍ଷେପ ନେଲେ  ଏଥିରେ ରୋକ ଲଗିପାରି ବୋଲି ସେ କହିଛନ୍ତି।

ସୀମାନ୍ତ ଟି.ବ୍ରହ୍ମପୁର ପଞ୍ଚାୟତର ସରପଞ୍ଚ କେ. ତ୍ରିନାଥ କହିଛନ୍ତି, ଆନ୍ଧ୍ରପ୍ରଦେଶ ବାସିନ୍ଦା ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ବାସିନ୍ଦା ଓଡ଼ିଶାରେ ଭୋଟ୍ ଦେବାକୁ ସଚେତନ କରାଯାଇଛି।

Tags: #Politics #OdishaPolitics #OdishaBorder #VoteBank #Election

Comment