ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଓଡ଼ିଶାରେ ଲୋକସଭା ନିର୍ବାଚନ ପାଇଁ ଲଢ଼େଇ ହେବ ଜୋରଦାର, ସମ୍ବଲପୁର, କେନ୍ଦ୍ରାପଡ଼ା ଏବଂ ଭୁବନେଶ୍ଵର ଲୋକସଭା ଆସନ ଦଖଲ ଲାଗି ମୁହାଁମୁହିଁ ହେବେ ହେଭିଓ୍ଵେଟ।

ଆସନ୍ତା ସାଧାରଣ ନିର୍ବାଚନ ଲାଗି ସରଗରମ ହୋଇଛି ଓଡ଼ିଶାର ରାଜନୈତିକ ମାହୋଲ। ବିଶେଷ କରି ଲୋକସଭା ନିର୍ବାଚନ ବାଜି ମାରିବାକୁ ନେତା ହେଉଛନ୍ତି ପ୍ରସ୍ତୁତ। ଚଳିତ ଥର ସମ୍ବଲପୁର, କେନ୍ଦ୍ରାପଡ଼ା ଏବଂ ଭୁବନେଶ୍ଵର ଲୋକସଭା ଆସନ ପାଇଁ ହେଭିଓ୍ଵେଟଙ୍କ ପଲିଟିକାଲ ଫାଇଟ୍ ଦେଖିବାକୁ ମିଳିବ।

ଏଥର ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ କେନ୍ଦ୍ରାପଡ଼ା, ସମ୍ବଲପୁର ଓ ଭୁବନେଶ୍ଵର ଲୋକସଭା ନିର୍ବାଚନ ବେଶ ଗୁରୁତ୍ଵ ବହନ କରିବ।

ପୂର୍ବରୁ ବିଜେପି ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ବୁଧବାର ଦିନ ବିଜେଡି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି।

ସମ୍ବଲପୁର ଲୋକସଭା ଆସନରେ ମୁହାଁମୁହିଁ ହେବେ ଦୁଇ ହେଭିଓ୍ଵେଟ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ। ସେହିପରି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ଅଂଶୁମାନ ମହାନ୍ତିଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଲଢ଼େଇ ହେବ। ଏହା ସହ ଭୁବନେଶ୍ଵର ଲୋକସଭା ଆସନରେ ଲଢ଼ିବେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ।

ସମ୍ବଲପୁରରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର-ପ୍ରଣବ

୨୦୧୪ ପରେ କ୍ଷମତା ରାଜନୀତିରେ ହଠାତ ଧର୍ମେନ୍ଦ୍ର ପ୍ରଧାନ ଏକ ଲମ୍ବ ଡିଆଁ ମାରିଥିଲେ। ବିହାରରୁ ନିର୍ବାଚିତ ରାଜ୍ୟସଭା ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ ମୋଦୀ ସରକାରଙ୍କ ପ୍ରଥମ ଓ ଦ୍ଵିତୀୟ ପାଳିରେ କ୍ୟାବିନେଟ ମନ୍ତ୍ରୀ ହେବା ସହ ଏକାଧିକ ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ଵ ତୁଲାଇଛନ୍ତି। ତାଙ୍କ ନେତୃତ୍ଵରେ ଓଡ଼ିଶାରେ ବିଜେପିର ଅଭିବୃଦ୍ଧି ହୋଇଥିବା ରାଜନୀତି ପଣ୍ଡିତମାନେ ମତ ଦେଇଛନ୍ତି।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ସଫଳତା ପାଇବା ସହ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନରେ ବହୁତ ସଫଳତା ପାଇଥିଲା। ଏଥର ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ଇିବାକୁ ଯାଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଦୀର୍ଘ ବର୍ଷ ହେଲା ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ନଥିବା ଧର୍ମେନ୍ଦ୍ରଙ୍କ ପାଇଁ ଚଳିତ ନିର୍ବାଚନ ବଡ଼ ପରୀକ୍ଷା ସାବ୍ୟସ୍ତ ହେବ ବୋଲି ଆକଳନ କରାଯାଇଛି।

ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କୁ ଟକ୍କର ଦେବାକୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଓଡ଼ିଶାର ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରଣବଙ୍କର ପ୍ରଭାବ ରହିଥିବା କୁହାଯାଉଛି। ସମ୍ବଲପୁରରେ ମଧ୍ୟ ବିଜେଡିର ସାଂଗଠନିକ ସ୍ଥିତି ମଜଭୁତ ରହିଛି।

ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଏଥର ଲୋକସଭା ଆସନ ପାଇଁ ଉଭୟ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି।

ଦେବଗଡ଼ ଲୋକସଭା ଆସନ ଜିତି ସାରିଛନ୍ତି ଧର୍ମେନ୍ଦ୍ର

୨୦୦୪ ନିର୍ବାଚନରେ ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇସାରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଅବଶ୍ୟ ୨୦୦୮ରେ ଏହି ସଂସଦୀୟ କ୍ଷେତ୍ରକୁ ବରଗଡ଼ ଓ ସମ୍ବଲପୁର ଲୋକସଭା ଆସନରେ ବିଲୟ କରାଯାଇଥିଲା।

ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କର ବେଶ ପ୍ରଭାବ ରହିଥିବା ଚର୍ଚ୍ଚା ହେଉଛି। ଏଥର ସମ୍ବଲପୁର ଲୋକସଭା ଆସନରେ ଲଢ଼େଇ ପଶ୍ଚିମ ଓଡ଼ିଶାର ଅନ୍ୟ ସବୁ ଲୋକସଭା ଆସନଠାରୁ ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ। କାରଣ ଏହି ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଏହି ଦୁଇ ତୁଙ୍ଗ ନେତାଙ୍କ ସ୍ଥିତି ନିର୍ଦ୍ଧାରଣ କରିବ। ଦୁଇ ନେତାଙ୍କୁ ବାଛିବାରେ ଏଥର ସମ୍ବଲପୁର ଭୋଟର ଦ୍ଵନ୍ଦ୍ଵରେ ପଡ଼ିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

କାହାର ହେବ କେନ୍ଦ୍ରାପଡ଼ା?

କେନ୍ଦ୍ରାପଡ଼ା ଲୋକସଭା ଆସନ ଦଖଲ ପାଇଁ ମୁହାଁମୁହିଁ ହେବେ ବୈଜୟନ୍ତ ପଣ୍ଡା ଏବଂ ଅଂଶୁମାନ ମହାନ୍ତି। ବିଜେପି ଟିକେଟରେ ପୁଣି ଲଢ଼ିବେ ବୈଜୟନ୍ତ। ଏହି ଆସନ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି।

ବୈଜୟନ୍ତ ପଣ୍ଡା ପୂର୍ବରୁ ବିଜେଡି ଟିକେଟରେ ଦୁଇ ଦୁଇ ଥର କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ୨୦୧୯ରେ ସେ କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ବିଜେପିର ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିଲେ। ବୈଜୟନ୍ତଙ୍କଠାରୁ ଅପେକ୍ଷାକୃତ ରାଜନୀତିରେ କମ୍ ଅଭିଜ୍ଞତା ଥିବା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ନିର୍ବାଚନରେ ବାଜି ମାରିଥିଲେ।  

ଏଥର କେନ୍ଦ୍ରାପଡ଼ା ଲୋକସଭା ଆସନରେ ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କର ପ୍ରତିଦ୍ଵନ୍ଦ୍ଵିତା ହେବ। ଅଂଶୁମାନ କିଛି ଦିନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ରୁ ୨୦୧୯ ମସିହା ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର କଂଗ୍ରେସ ବିଧାୟକ ଥିଲେ ଅଂଶୁମାନ। ଏକଦା କେନ୍ଦ୍ରାପଡ଼ା ରାଜନୀତିକୁ ସର୍ବାଧିକ ଭାବେ ପ୍ରଭାବିତ କରିଥିବା ଟାଣୁଆ ନେତା ସ୍ଵର୍ଗତ ନଳିନୀ ମହାନ୍ତିଙ୍କ ପୁଅ ହେଉଛନ୍ତି ଅଂଶୁମାନ ମହାନ୍ତି। କେନ୍ଦ୍ରାପଡ଼ାରେ ତାଙ୍କର ବେଶ ପ୍ରଭାବ ମଧ୍ୟ ରହିଛି।

ଏପଟେ ବିଜେପିରେ ଯୋଗଦେବା ପରଠାରୁ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନୀ ସଫଳତା ହାସଲ ହୋଇପାରି ନାହିଁ। ଏଥର ନିର୍ବାଚନ ଫଳାଫଳ ତାଙ୍କ ପରବର୍ତ୍ତୀ ସ୍ଥିତି ସ୍ଥିର କରିବ। ଗତଥର ବିଜେଡି ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କ ପାଇଁ ଏଥର ନିର୍ବାଚନ ଅଗ୍ନ ପରୀକ୍ଷା ସମାନ ହେବ। ଅଂଶୁମାନଙ୍କୁ ମଧ୍ୟ ଏହି ନିର୍ବାଚନରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଏଥର ପୁଣି ବିଜେଡି ହାତରେ ରହିବ ନା ବାଜି ମାରିମ ବିଜେପି, ତା’ ଉପରେ ରହିଛି ସମସ୍ତଙ୍କ ନଜର।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ହେବ ବିଜେପି-ବିଜେଡି ଫାଇଟ୍

ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଜୋରଦାର ହେବ ରାଜନୈତିକ ଲଢ଼େଇ। ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ।

୨୦୧୯ରେ ବିଜେପି ଟିକେଟରେ ଭୁବନେଶ୍ଵର ଲୋକସଭା ଆସନରୁ ନିର୍ବାଚନ ଲଢ଼ି ସାଂସଦ ହୋଇଥିଲେ ଅପରାଜିତା ଷଡ଼ଙ୍ଗୀ। ଏଥର ପୁଣି ଅପରାଜିତାଙ୍କୁ ଟିକେଟ ଦେଇଛି ବିଜେପି।

ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୂର୍ବତନ ଆଇପିଏସ ଅଧିକାରୀ ଅରୁପ ପଟ୍ଟନାୟକଙ୍କଠାରୁ ୨୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ ଅପରାଜିତା ଷଡ଼ଙ୍ଗୀ। ଏଥର ମଧ୍ୟ ଭୁବନେଶ୍ଵର ଲୋକସଭା ଆସନ ଦଖଲ କରିବାକୁ ଆଶା ରଖିଛନ୍ତି ସେ।

ଏହି ଲୋକସଭା ଆସନ ପାଇଁ ନୂଆ କରି ବିଜେଡିରେ ଯୋଗ ଦେଇଥିବା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ପ୍ରାର୍ଥୀ କରିଛି ଦଳ। ବିଜେଡି ହାତରୁ ଭୁବନେଶ୍ଵର ଲୋକସଭା ଆସନ ଯିବା ପରଠାରୁ ଏହାର ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ।

ପୂର୍ବରୁ ଏହି ଆସନ ପାଇଁ ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ବୁଧବାର ଦିନ ମନ୍ମଥଙ୍କୁ ଭୁବନେଶ୍ଵର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ମନ୍ମଥଙ୍କୁ ପ୍ରାର୍ଥୀ କରିବା ଦ୍ୱାରା କଂଗ୍ରେସର ଭୋଟ ବିଜେଡି ଖାତାକୁ ଆସିବାର ସମ୍ଭାବନା ରହିଛି। ଏଥର ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ତେବେ ବିଜେଡି ନା ବିଜେପି ଉପରେ ଭରସା କରିବେ ଭୁବନେଶ୍ଵର ଭୋଟର, ଦେଖିବାକୁ ବାକି ରହିଲା।

Tags: #Politics#OdishaPolitics #Election #LokSabhaElection #BJD #BJP

Comment