ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ଛାଡ଼ିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ଶୁକ୍ରବାର ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।

“ବିଜେପିର ରାଜ୍ୟ ନେତୃତ୍ୱ ସହ ମୋର କୌଣସି ସମସ୍ୟା ନଥିଲା। ଏଥର ଟିକେଟ୍ ମିଳିବାରେ ମଧ୍ୟ କୌଣସି ଅସୁବିଧା ନଥିଲା। ତେବେ ବିଜେପିକୁ ଆସିବା ବେଳେ ଯାହା ଭାବିଥିଲି, ସଂଗଠନକୁ ଯେଉଁ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲି ତାହା ହେଇପାରିଲା ନାହିଁ। କିଛି ବିଚାରଗତ ମତଭେଦ ଯୋଗୁଁ ମୁଁ ଆଜି ଦଳ ଛାଡ଼ିଛି”, କହିଛନ୍ତି ପ୍ରକାଶ ଚନ୍ଦ୍ର ବେହେରା।

ପ୍ରକାଶ ଚନ୍ଦ୍ର ବେହେରା ୨୦୧୪ ମସିହାରେ କଂଗ୍ରେସ ଟିକେଟରେ ସାଲେପୁରରୁ ବିଧାୟକ ହୋଇଥିଲେ। ଏହାପରେ ୨୦୧୯ ମସିହା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ସେ ସେହି ବର୍ଷ ବିଜେପି ଟିକେଟରେ ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ହେଲେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କଠାରୁ ସେ ହାରି ଯାଇଥିଲେ। ପ୍ରକାଶ ଚନ୍ଦ୍ର ବେହେରା ଏବେ କଟକ ଜିଲ୍ଲା ବିଜେପି ସଭାପତି ଥିଲେ।

ଅନ୍ୟପଟେ ସାଲେପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ। ତେବେ ପ୍ରକାଶ ଚନ୍ଦ୍ର ବେହେରା ସାଲେପୁରରୁ ବିଜେଡି ଟିକେଟରେ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ହେଲେ ଏନେଇ କିଛି ସ୍ପଷ୍ଟ ହୋଇ ନାହିଁ।

Tags: #PrakashChandraBehera #BJP #Politics #Salipur #Cuttack

Comment