ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ଭୁବନେଶ୍ଵର ଉତ୍ତର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଶନିବାର ସକାଳେ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ଦଳରେ ସାମିଲ ହୋଇଥିଲେ।

“ମୁଁ ବିଜେଡି ସହ ଛାତ୍ର ଜୀବନରୁ ଜଡ଼ିତ ଥିଲି। ଦଳ ପାଇଁ ବହୁତ୍ କିଛି କାର୍ଯ୍ୟ କରିଛି। ହେଲେ ଦଳ ମତେ ବାରମ୍ବାର ଅବହେଳା କରିଆସିଛି। ୨୦୧୯ ପରଠାରୁ ଦଳର କୌଣସି ସାଂଗଠନିକ କାର୍ଯ୍ୟରେ ମତେ ସାମିଲ କରାଯାଉନଥିଲା। ବିଜେଡିକୁ ଗଢ଼ିଥିବା ଲୋକଙ୍କୁ ଆଜି ଅଣଦେଖା କରାଯାଉଛି। ଏଥିପାଇଁ ମୁଁ ଦଳରୁ ଇସ୍ତଫା ଦେଇଛି। ଆଗକୁ ବିଜେପିରେ ରହି ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି”, କହିଛନ୍ତି ପ୍ରିୟଦର୍ଶୀ ମିଶ୍ର।

ପ୍ରିୟଦର୍ଶୀ ମିଶ୍ର ୨୦୧୪ ରୁ ୨୦୧୯ ଯାଏଁ ଭୁବନେଶ୍ଵର ଉତ୍ତର ଆସନରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ। ହେଲେ ୨୦୧୯ରେ ଦଳ ଏହି ଆସନରୁ ସୁଶାନ୍ତ ରାଉତଙ୍କୁ ଟିକେଟ୍ ଦେଇଥିଲା। ଏହାପରେ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳରେ ବିଶେଷ ଗୁରୁତ୍ୱ ଦିଆଯାଉନଥିଲା।

ଏବେ ୨୦୨୪ରେ ମଧ୍ୟ ଭୁବନେଶ୍ଵର ଉତ୍ତର ଆସନରୁ ବିଜେଡି ସୁଶାନ୍ତ ରାଉତଙ୍କୁ ପୁଣି ଥରେ ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ପ୍ରିୟଦର୍ଶୀ ମିଶ୍ର ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା କୁହାଯାଉଛି।

ପ୍ରିୟଦର୍ଶୀ ମିଶ୍ର ବିଜେପିରେ ସାମିଲ ହେବା ଅବସରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ରାଜ୍ୟ ବିଜେପି ପ୍ରଭାରି ବିଜୟପାଲ ସିଂ ତୋମର ଉପସ୍ଥିତ ଥିଲେ।

Tags: #PriyadarshiMishra #BJD #BJP #Politics #Bhubaneswar

Comment