ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ଛାଡ଼ିଲେ ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ। ଶନିବାର ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

“ମୋ ଜୀବନ କୋରେଇବାସୀଙ୍କ ସେବା ପାଇଁ ସମର୍ପିତ। ତେବେ ନିଜର ଆତ୍ମସମ୍ମାନ ଓ କୋରେଇର ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ବିଜେଡିରୁ ଇସ୍ତଫା ଦେଇଛି। କୋରେଇବାସୀଙ୍କ ଭଲ ପାଇବା ତଥା ମୋର ସମର୍ଥକ ଓ ସାଥୀଙ୍କ ପରାମର୍ଶରେ ମୁଁ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବି” କହିଛନ୍ତି ଆକାଶ ଦାସନାୟକ।

ଆକାଶ ଦାସନାୟକ ୨୦୧୪ ମସିହାରେ ବିଜେଡି ଟିକେଟରେ କୋରେଇରୁ ବିଧାୟକ ହୋଇଥିଲେ। ଏହି ନିର୍ବାଚନରେ ସେ ୪୦ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ହେଲେ ୨୦୧୯ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେଡି ତାଙ୍କୁ ଆଉ ଟିକେଟ୍ ଦେଇନଥିଲା। ପରେ ସେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ କାର୍ଯ୍ୟକ୍ରମର ଅଧ୍ୟକ୍ଷ ହୋଇଥିଲେ।

ଅନ୍ୟପଟେ କୋରେଇ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ। ତେବେ ଆକାଶ ଦାସନାୟକ ବିଜେଡି ଛାଡ଼ିବା ପରେ କେଉଁ ଦଳକୁ ଯିବେ ସେନେଇ ସ୍ପଷ୍ଟ ହୋଇନାହିଁ।

Tags: #AkashDasNayak #BJD #Politics #Korei #Jajpur

Comment