ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଓ ଜଗତସିଂହପୁର ଜିଲ୍ଲାରେ ନିଯୁକ୍ତ ହୋଇଛନ୍ତି ନୂଆ ଜିଲ୍ଲାପାଳ। ଅରିନ୍ଦମ ଡାକୁଆ କଟକର ଜିଲ୍ଲାପାଳ ହୋଇଥିବାବେଳେ ଅନୁପମ ଶାହାଙ୍କୁ ଜଗତସିଂହପୁରର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ କଟକ ଓ ଜଗତସିଂହପୁରରେ ନୂଆ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦିଆଯାଇଛି। ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସେମାନେ ଏହି ଦାୟିତ୍ଵରେ ରହିବେ।         

ତେବେ ୨୦୧୧ ବ୍ୟାଚର ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆ ଏବେ ରାଜ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏହାସହ ସେ ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଉଥିଲେ।

ଅନ୍ୟପଟେ ୨୦୧୨ ବ୍ୟାଚର ଆଇଏଏସ ଅଧିକାରୀ ଅନୁପମ ଶାହା ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ଏହାସହ ସେ ମୋ ସ୍କୁଲର ସଦସ୍ୟ ସଚିବ ଏବଂ ଓଡ଼ିଶା ଶ୍ରମ ଆୟୁକ୍ତ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ।

କିଛିଦିନ ପୂର୍ବେ ଓଡ଼ିଶାର ଜଣେ ଆଇଜି, ୨ ଜଣ ଜିଲ୍ଲାପାଳ ଓ ୫ ଜଣ ଏସପିଙ୍କୁ ଦାୟିତ୍ଵରୁ ହଟାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ ଆୟୋଗ। ନିର୍ବାଚନ କାର୍ଯ୍ୟକ୍ରମରେ ପକ୍ଷପାତିତା କରୁଥିବା ଅଭିଯୋଗରେ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ଏଥିରେ କଟକ ଜିଲ୍ଲାପାଳ ବିନୀତ ଭରଦ୍ଵାଜ ଓ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟବାରୀଙ୍କୁ ପଦରୁ ହଟାଯାଇଥିଲା। ତାଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦେବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ।

Tags: #IASOfficers #Collectors #Cuttack #Jagatsinghpur #ElectionCommissionofIndia #Odisha

LEAVE A REPLY

Please enter your comment!
Please enter your name here