ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶର ସମସ୍ତ ୧୧ ରାଜ୍ୟସଭା ଆସନ ୱାଇଏସଆର କଂଗ୍ରେସ ପାର୍ଟି କବ୍ଜାକୁ ଆସିବା ପରେ ରାଜ୍ୟସଭାରୁ ମୂଳପୋଛ ହେଲା ତେଲୁଗୁ ଦେଶମ ପାର୍ଟି।

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱରେ ଗଠିତ ୱାଇଏସଆର କଂଗ୍ରେସ ଦଳକୁ ମିଳିଛି ବଡ଼ ସଫଳତା। ଆନ୍ଧ୍ରପ୍ରଦେଶର ସମସ୍ତ ୧୧ ରାଜ୍ୟସଭା ଆସନ ୱାଇଏସଆର କଂଗ୍ରେସ ପାର୍ଟି ନିଜ ଅକ୍ତିଆରକୁ ଆଣିବାରେ ସଫଳ ହୋଇଛି।

ଆନ୍ଧ୍ରପ୍ରଦେଶ ରାଜନୀତିରେ ଦିନେ ନେତୃତ୍ଵ ନେଉଥିବା ତେଲୁଗୁ ଦେଶମ ପାର୍ଟି ଏବେ ରାଜ୍ୟସଭାରୁ ଆଉଟ ହୋଇଛି। ରାଜ୍ୟସଭାରେ ତେଲୁଗୁ ଦେଶମ ପାର୍ଟି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ସଦସ୍ୟ କେ. ରବୀନ୍ଦ୍ର କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ ୨ ତାରିଖରେ ଶେଷ ହୋଇଛି। ଫଳରେ ଦଳ ପକ୍ଷରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରିବା ପାଇଁ କୌଣସି ସଦସ୍ୟ ନାହାଁନ୍ତି।

ନିକଟରେ ଆନ୍ଧ୍ରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୱାଇଏସଆର କଂଗ୍ରେସ ପାର୍ଟି ୩ ଜଣ ସଦସ୍ୟ ସୁବା ରେଡ୍ଡୀ, ଗୋଲା ବାବୁ ରାଓ ଏବଂ ଏମ. ରଘୁନାଥ ରେଡ୍ଡୀ ଗୁରୁବାର ଦିନ ଶପଥ ଗ୍ରହଣ କରିଥିଲେ। ଏବେ ରାଜ୍ୟସଭାରେ ୱାଇଏସଆର କଂଗ୍ରେସ ପାର୍ଟି ୧୧ ସଦସ୍ୟଙ୍କ ସହ ଚତୁର୍ଥ ବୃହତ୍ତମ ଦଳରେ ପରିଣତ ହୋଇଛି।

ବର୍ତ୍ତମାନ ରାଜ୍ୟସଭାରେ ୯୭ ଜଣ ସଦସ୍ୟଙ୍କ ସହ ବିଜେପି ଶୀର୍ଷସ୍ଥାନରେ ରହିଥିବାବେଳେ ଦ୍ଵିତୀୟ ସ୍ଥାନରେ ଥିବା କଂଗ୍ରେସର ୨୮ ଜଣ ସଦସ୍ୟ ରହିଛନ୍ତି। ଏହା ସହ ୧୩ ଜଣ ସଦସ୍ୟଙ୍କ ସହ ତୃତୀୟ ସ୍ଥାନରେ ରହିଛି ତୃଣମୂଳ କଂଗ୍ରେସ।

ଗତ ଫେବ୍ରୁଆରି ୨୭ ତାରିଖରେ ଆନ୍ଧ୍ରପ୍ରଦେଶର ତିନିଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ବିଧାନସଭାରେ ତେଲୁଗୁ ଦେଶମ ପାର୍ଟି ପକ୍ଷରୁ ୨୨ ଜଣ ବିଧାନସଭା ପ୍ରାର୍ଥୀ ରହିଥିବାବେଳେ ରାଜ୍ୟସଭା ଆସନ ଜିତିବା ପାଇଁ ଦଳକୁ ଆବଶ୍ୟକତା ଥିଲା ୪୪ ଜଣ ଭୋଟର।

ତେବେ ରାଜ୍ୟସଭା ଆସନ ଲାଗି କୌଣସି ପ୍ରାର୍ଥୀ ଦେଇନଥିଲା ତେଲୁଗୁ ଦେଶମ ପାର୍ଟି। ଫଳରେ ସମସ୍ତ ୩ଟି ଆସନରେ ୱାଇଏସଆର କଂଗ୍ରେସ ପାର୍ଟିର ପ୍ରାର୍ଥୀ ବିନା ପ୍ରତିଦ୍ଵନ୍ଦ୍ଵିତାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

୨୦୧୯ ନିର୍ବାଚନ ପୂର୍ବରୁ ୱାଇଏସଆର କଂଗ୍ରେସ ପାର୍ଟିର ଦୁଇ ଜଣ ଓ ତେଲୁଗୁ ଦେଶମ ପାର୍ଟିର ୯ ଜଣ ସଦସ୍ୟ ରାଜ୍ୟସଭାରେ ରହିଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ୧୭୪ଟି ଆସନ ମଧ୍ୟରୁ ୱାଇଏସଆର କଂଗ୍ରେସ ପାର୍ଟି ୧୫୧ଟି ଆସନରେ ଜିତିଥିବାବେଳେ ତେଲେଗୁ ଦେଶମ ଦଳ ମାତ୍ର ୨୩ଟି ଆସନ ଅକ୍ତିଆର କରିବାକୁ ସମର୍ଥ ହୋଇଥିଲା।

ଏହା ପରେ ପର୍ଯ୍ୟାୟକ୍ରମେ ୱାଇଏସଆର କଂଗ୍ରେସ ପାର୍ଟି ଆନ୍ଧ୍ରପ୍ରଦେଶରୁ ୧୧ଟି ରାଜ୍ୟସଭା ଆସନ ନିଜ ଅକ୍ତିଆରକୁ ଆଣିବାକୁ ସୁଯୋଗ ପାଇଥିଲା।

Tags: #Politics #AndhraPradeshPolitics #RajyaSabhaSeat #YSRCP #TeluguDeshamParty

Comment