ଓଡ଼ିଶାଲାଇଭ୍ ବ୍ୟୁରୋ

ଟାଇ ଭୁବନେଶ୍ଵର ପକ୍ଷରୁ ‘ଇଗନାଇଟ୍ ଦେମ ୟଙ୍ଗ’ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି। ଶନିବାର ସ୍ଥାନୀୟ କିଟ୍ ଇଣ୍ଟରନାସନାଲ ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାର ଉଦଘାଟନ ହୋଇଛି। ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ ପୋଷଣ କରିବା, ଅଭିନବ ଚିନ୍ତାଧାରାକୁ ବଢ଼ାଇବା ଏବଂ ଦକ୍ଷତା ବୃଦ୍ଧି କରିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ରହିଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ଷ୍ଟାର୍ଟଅପ୍ କ୍ଷେତ୍ରର ବିକାଶ ପାଇଁ ବିଶେଷ ଆଲୋଚନା କରାଯାଇଥିଲା। ଏଥିରେ ବିଭିନ୍ନ ସ୍କୁଲର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

“ଓଡ଼ିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏବେ ସାରା ଦେଶରେ ଅଗ୍ରଣୀ ସ୍ଥାନରେ ରହିଛି। ଦିନକୁ ଦିନ ରାଜ୍ୟରେ ଷ୍ଟାର୍ଟଅପଗୁଡ଼ିକର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ବିଶ୍ୱସ୍ତରରେ ଓଡ଼ିଶାର ସୁନାମ ବଢ଼ାଇବା ପାଇଁ ଏହା ବେଶ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରୁଛି”, କହିଛନ୍ତି ଡକ୍ଟର ଓମକାର ରାୟ।

ଏହି କାର୍ଯ୍ୟକ୍ରମରେ ଆମେରିକାର ଆମାନ୍ୟା କର୍ପୋରେସନର ବୋର୍ଡ ସଦସ୍ୟ ପାର୍ଥସାରଥୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଏଠାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ କଥା ହେବାସହ ସେମାନଙ୍କୁ ଉଚ୍ଚାଭିଳାଷୀ ଜୀବନ ଲକ୍ଷ୍ୟ ସ୍ଥିର କରିବାକୁ ପରାମର୍ଶ ଦେଇଥିଲେ।

ସେହିପରି ଟାଇ ଭୁବନେଶ୍ୱରର ସଭାପତି ଅୟସକାନ୍ତ ମହାନ୍ତି ଛାତ୍ରମାନଙ୍କୁ ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିବାକୁ ଉତ୍ସାହିତ କରିଥିଲେ। ଏହାସହ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସଭାପତି ବ୍ରହ୍ମାନନ୍ଦ ମିଶ୍ର ରାଜ୍ୟର ଅର୍ଥନୈତିକ ବିକାଶରେ ଶିଳ୍ପ ଅଭିବୃଦ୍ଧିର ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ କିଟ୍ ଇଣ୍ଟରନାସନାଲ ସ୍କୁଲର ପ୍ରିନ୍ସିପାଲ ଡକ୍ଟର ସଞ୍ଜୟ ସୁଆର, ଭୁବନେଶ୍ଵର ସିଟି ନଲେଜ ଇନୋଭେସନ କ୍ଲଷ୍ଟରର (ବିସିକେଆଇସି) ଅଧ୍ୟକ୍ଷା ଡକ୍ଟର ନମ୍ରତା ମିଶ୍ର, ଟୋଡୋ ସ୍କିଲର ପ୍ରତିଷ୍ଠାତା ଅମୀୟ ମିଶ୍ର, ଟାଇ ଭୁବନେଶ୍ୱରର ସମ୍ପାଦକ ଆନନ୍ଦ ପ୍ରସାଦ ପାଢ଼ୀ ଓ କୋଷାଧ୍ୟକ୍ଷ ରାକେଶ କୁମାର ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟିକୁ ଟାଇ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପାର୍ଥସାରଥୀ ଘୋଷ ସଂଯୋଜନା କରିଥିଲେ।

Tags: #TiEBhubaneswar #IgniteThemYoung #EntrepreneurialCompetition #Startups #Bhubaneswar

LEAVE A REPLY

Please enter your comment!
Please enter your name here