ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବା ପାଇଁ ସିଂହଦ୍ଵାରରେ ଜଗିବେ ପ୍ରତିହାରୀ ସେବାୟତ। ରବିବାରଠାରୁ ଏଠାରେ ପୋଲିସକର୍ମୀଙ୍କ ସହ ୨ ଜଣ ପ୍ରତିହାରୀ ସେବାୟତ ପହରା ଦେବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ଅନୁସାରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦୁଇଜଣ ଲେଖାଏଁ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ଵାରରେ ମୁତୟନ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରତିହାରୀ ନିଯୋଗ ସହ ଏନେଇ ଆଲୋଚନା ପରେ ବ୍ୟବସ୍ଥା କରାଯାଇଛି।

ତେବେ ପୂର୍ବରୁ ସିଂହଦ୍ଵାରରେ ପ୍ରତିହାରୀ ସେବା ଚାଲୁଥିଲା। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଏ ସଂପର୍କରେ ଉଲ୍ଲେଖ ରହିଛି। ହେଲେ ଅନେକ ଦିନରୁ ପ୍ରତିହାରୀ ସେବା ବନ୍ଦ ରହିଥିଲା। ଏବେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଘଟଣା ବାରମ୍ବାର ଘଟିବା ପରେ ଏହି ସେବା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପ୍ରାଥମିକ ପର୍ଯ୍ୟାୟରେ ପ୍ରତିହାରୀ ସେବାୟତମାନେ କେବଳ ସିଂହଦ୍ଵାରରେ ଜଗିବେ। ପରବର୍ତ୍ତୀ ସମୟରେ ଅନ୍ୟ ଦ୍ଵାରରେ ମଧ୍ୟ ସେମାନଙ୍କ ଜଗିବା ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।  

ଗତ ଦୁଇମାସ ଭିତରେ ଏକାଧିକ ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରି ଧରାପଡ଼ିଛନ୍ତି। ମାର୍ଚ୍ଚ ମାସରେ କିଛି ବିଦେଶୀ ଯୁବକ ଯୁବତୀ ମନ୍ଦିରରେ ଭିତରେ ପ୍ରବେଶ କରିଥିବାବେଳେ ସେବାୟତମାନେ ସେମାନଙ୍କୁ ଅଟକାଇ ସିଂହଦ୍ୱାର ଥାନାରେ ଜିମା ଦେଇଥିଲେ। ଏଭଳି ଘଟଣାକୁ ରୋକିବା ପାଇଁ ସିଂହଦ୍ଵାରରେ ପୁଣିଥରେ ପ୍ରତିହାରୀ ସେବା ଆରମ୍ଭ ହେବ।  

Tags: #ShreeMandir #PratihariSeba #Singhadwar #Puri

Comment