ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସାରା ଓଡ଼ିଶା। ଅତ୍ୟଧିକ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ସୋମବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ଵର। ଏଠାରେ ଦିନ ୧୧ଟା ୩୦ସୁଦ୍ଧା ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ଵରର ତାପମାତ୍ରା ମଧ୍ୟ ୩୯ ଡିଗ୍ରୀ ପାର କରିଛି। ଆଗକୁ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସୋମବାର ସକାଳୁ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ପାର କରିଥିଲା। ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ଵରର ସର୍ବାଧିକ ତାପମାତ୍ରା ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲିରେ ୩୮.୭ ଡିଗ୍ରୀ, ଝାରସୁଗୁଡ଼ାରେ ୩୮.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ, ହୀରାକୁଦରେ ୩୭.୫ ଡିଗ୍ରୀ, ରାଉରକେଲାରେ ୩୭ ଡିଗ୍ରୀ ଏବଂ ସମ୍ବଲପୁରରେ ୩୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।  

ଏବେ ଓଡ଼ିଶାକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ ସହ ତାପମାତ୍ରା ବଢ଼ୁଥିବା ଦେଖିବାକୁ ମିଳୁଛି। ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସେହିପରି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ ଓ ୧୬ ତାରିଖ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହିଟୱେଭ୍ ସତର୍କତା ଜାରି କରାଯାଇଛି। ଏହି ସମୟରେ ଅସହ୍ୟ ଖରା ଓ ଗୁଳୁଗୁଳି ଶରୀର ପାଇଁ ଘାତକ ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି।

Tags: #HeatWave #Summer #Weather #MCBBSR #Odisha

LEAVE A REPLY

Please enter your comment!
Please enter your name here