ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ କିଛି ଦିନ ହେବ ମାତ୍ରାଧିକ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଉପକୂଳରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ସବୁଆଡ଼େ ଖରା ଓ ଗୁଳୁଗୁଳି ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ମଙ୍ଗଳବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ଵର। ଏଠାରେ ଅପରାହ୍ଣ ୨ଟା ୩୦ ସୁଦ୍ଧା ସର୍ବାଧିକ ତାପମାତ୍ରା ୪୧.୯ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଆଗକୁ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ପରେ ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଥିଲା। ଅପରାହ୍ଣ ୨ଟା ୩୦ ସୁଦ୍ଧା ଭୁବନେଶ୍ଵରରେ ୪୧.୯ ଡିଗ୍ରୀ ସହ ଚାନ୍ଦବାଲିରେ ୪୧.୬ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୪ ଡିଗ୍ରୀ, ବାଲେଶ୍ଵରରେ ୪୦.୫ ଡିଗ୍ରୀ, ସମ୍ବଲପୁରରେ ୪୦.୩ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ, ରାଉରକେଲାରେ ୩୯.୯ ଡିଗ୍ରୀ ଏବଂ ହୀରାକୁଦରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।  

ଏବେ ଓଡ଼ିଶାକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ ସହ ତାପମାତ୍ରା ବଢ଼ୁଥିବା ଦେଖିବାକୁ ମିଳୁଛି। ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନର ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ୍ ସତର୍କତା ଜାରି କରାଯାଇଛି। ତେବେ ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଆବଶ୍ୟକ ନଥିଲେ ଘରୁ ନବାହରିବା ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଖରା ସମୟରେ ଖାସ କରି ଛୋଟ ପିଲା ତଥା ବୟସ୍କ ବ୍ୟକ୍ତିଙ୍କ ବିଶେଷ ଯତ୍ନ ନେବାକୁ କୁହାଯାଇଛି।  

Tags: #HeatWave #Summer #Weather #MCBBSR #Odisha

LEAVE A REPLY

Please enter your comment!
Please enter your name here