ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନୂଆପଡ଼ା ବିଧାନସଭା ଆସନରେ ଏଥର ସମ୍ମାନର ଲଢ଼େଇ ହେବାକୁ ଯାଉଛି। ଏହି ଆସନରେ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ଆର ୟା ପାରର ଲଢ଼େଇ ପାଇଁ ସବୁ ନେତା ମଇଦାନରେ ଓହ୍ଲାଇଛନ୍ତି। ଏହାକୁ ନେଇ ସବୁ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି।

ନୂଆପଡ଼ା ଆସନରେ ଏହି ନିର୍ବାଚନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଇଁ କୁରୁକ୍ଷେତ୍ରର ଲଢ଼େଇଠାରୁ ଅଧିକ ବଡ଼ ଲଢ଼େଇ ରହିବ। ଅନ୍ୟପଟେ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡାଙ୍କ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ବାଟ ଛାଡ଼ିଛନ୍ତି। ସେହିପରି ବିଜେଡିର ରାଜେନ୍ଦ୍ର ଢୋଲକିଆଙ୍କ ପାଇଁ ମଧ୍ୟ ଚଳିତ ନିର୍ବାଚନ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଆଶା କରାଯାଉଛି।

ଶରତଙ୍କ ପାଇଁ ସରଳ ନୁହେଁ ସମୀକରଣ

ନୂଆପଡ଼ା ବିଧାନସଭା ଆସନକୁ ନେଇ ଏଥର ବହୁତ ଚର୍ଚ୍ଚା। ପିସିସି ସଭାପତି ନିଜେ ଏଥର ନୂଆପଡ଼ାରୁ ଲଢୁଛନ୍ତି। ବାଜିରେ କେବଳ ନିଜର ନୁହେଁ କଂଗ୍ରେସର ସମ୍ମାନ ଲାଗିଛି। ପିସିସି ସଭାପତି ଭାବେ ତାଙ୍କ ସୁପାରିସରେ ସାରା ରାଜ୍ୟର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଟିକଟ ବଣ୍ଟାଯାଇଛି। ଯଦି ନିଜେ ନ ଜିତନ୍ତି ତେବେ ତାଙ୍କ ପାଇଁ ବଡ଼ ଅଡୁଆ ପରିସ୍ଥିତି ସୃଷ୍ଟି ହେବ।

ପୂର୍ବରୁ ବଲାଙ୍ଗିର ଲୋକସଭା ଆସନରୁ ଦୁଇ ଦୁଇ ଥର ସାଂସଦ ନିର୍ବାଚିତ ହୋଇଛନ୍ତି ଶରତ। ପିଭି ନରସିମହା ରାଓଙ୍କ ସରକାରରେ ତାଙ୍କର ସାଂସଦ ହେବାର ଅଭିଜ୍ଞତା ରହିଛି। ପିସିସି ସଭାପତି ଭାବେ ମଧ୍ୟ ଏକାଧିକ ଥର ଦାୟିତ୍ଵ ନେଇଛନ୍ତି। ତେଣୁ ସ୍ଵାଭାବିକ ଭାବେ ତାଙ୍କ ଉପରେ ନିର୍ବାଚନ ଜିତିବାର ଚାପ ରହିଛି।

ଶରତଙ୍କ ପାଇଁ ଘାସିରାମ ଅଡୁଆ

ଶରତ ନୂଆପଡ଼ାରେ କଂଗ୍ରେସର ସଂଗଠନ ସଜାଡ଼ିବାରେ ଲାଗିଛନ୍ତି। ପୁରୁଣା କର୍ମୀଙ୍କୁ ଏକାଠି କରିବାରେ ଲାଗିଛନ୍ତି। କିନ୍ତୁ ତାଙ୍କ ଏ ରାସ୍ତାରେ କଣ୍ଟା ସାଜିପାରନ୍ତି ୨୦୧୪ ଓ ୨୦୧୯ରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଘାସିରାମ ମାଝି। ଉଭୟ ନିର୍ବାଚନରେ ସେ ଭଲ ଭୋଟ୍ ପାଇଥିଲେ। କଂଗ୍ରେସର ସଂଗଠନରେ ତାଙ୍କର ପ୍ରଭାବ ସହ ନିଜସ୍ଵ ଆଦିବାସୀ ଭୋଟ୍ ବ୍ୟାଙ୍କ ମଧ୍ୟ ରହିଛି। ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବାରୁ ଶରତଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ଚତୁର୍ଥ ପାଳି ପାଇଁ ରାଜେନ୍ଦ୍ରଙ୍କର ରଣନୀତି

ନୂଆପଡ଼ା ଆସନରେ ବରିଷ୍ଠ ନେତା ରାଜେନ୍ଦ୍ର ଢୋଲକିଆଙ୍କୁ ପୁଣି ଭରସା କରିଛି ବିଜେଡି। ବ୍ୟବସାୟୀ ଗୋଷ୍ଠୀଠାରୁ ଆରମ୍ଭ କରି ବହୁ ସଂଗଠନରେ ତାଙ୍କର ପ୍ରଭାବ ରହିଛି। ଏହି ଦମରେ ସେ ୨୦୦୪ରେ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଗତ ପଞ୍ଚାୟତିରାଜ ନିର୍ବାଚନରେ ସେ ତାଙ୍କର ସାଂଗଠନିକ ଦକ୍ଷତା ଦେଖାଇଥିଲେ। ଏଥର ବି ସେ ରଣନୀତି ପ୍ରସ୍ତୁତ କରୁଛନ୍ତି।

ଏଥରର ନିର୍ବାଚନ ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ। ନିଜ ସମର୍ଥକଙ୍କୁ ଏକାଠି କରିବା ଓ ବିଜେଡି ଭୋଟକୁ ଜଗିବା ତାଙ୍କ ପାଇଁ ବଡ଼ ଆହ୍ଵାନ। କିନ୍ତୁ ଏଠାରୁ ନିର୍ବାଚନ ଜିତିବା ଓ ଭୋଟରଙ୍କ ମୁଡ୍ ବୁଝିବାରେ ତାଙ୍କର ସବୁଠାରୁ ଅଧିକ ଅଭିଜ୍ଞତା ରହିଛି। ତଥାପି ଏଥର ନିର୍ବାଚନ ତାଙ୍କ ପାଇଁ ଗୋଟେ ବଡ଼ ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଛି।

ପଦାର୍ପଣ କରିବେ ଅଭିନନ୍ଦନ

ବିଜେପି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା। ପୂର୍ବରୁ ବାପାଙ୍କୁ ରାଜନୀତି ଓ ନିର୍ବାଚନ ପରିଚାଳନାରେ ସହଯୋଗ କରୁଥିବାବେଳେ ଏ ଲଢ଼େଇ ତାଙ୍କ ପାଇଁ ପଦାର୍ପଣ ମ୍ୟାଚ ସଦୃଶ। ନୂଆପଡ଼ା ଆସନରୁ ବସନ୍ତ ଦୁଇ ଥର ନିର୍ବାଚନ ଜିତିଛନ୍ତି। ବାପାଙ୍କ ପୁରୁଣା ଭୋଟ୍ ବ୍ୟାଙ୍କ ଓ ବିଜେପିର ସମର୍ଥନକୁ ନେଇ ଏଥର ଲଢୁଛନ୍ତି ଅଭିନନ୍ଦନ। ଏ ନିର୍ବାଚନ ଜିତିବା କେବଳ ଅଭିନନ୍ଦନଙ୍କ ପାଇଁ ନୁହେଁ ବରଂ ବସନ୍ତଙ୍କ ପାଇଁ ମଧ୍ୟ ବଡ଼ ପରୀକ୍ଷା।

ବିଜେପି ପାଇଁ ଦଳୀୟ କନ୍ଦଳ ସମସ୍ୟା

ଚଳିତ ନିର୍ବାଚନରେ ବିଜେପି ପାଇଁ ଯଦୁମଣି ପାଣିଗ୍ରାହୀଙ୍କ ଗୋଷ୍ଠୀ ସମସ୍ୟା ସୃଷ୍ଟି କରିପାରନ୍ତି। ଗତ ଥର ତାଙ୍କୁ ବିଜେପିରୁ ଟିକଟ ନ ମିଳିବାରୁ ସେ ସ୍ଵାଧୀନ ଭାବେ ଠିଆ ହୋଇ ୧୬,୫୩୫ ଭୋଟ୍ ପାଇଥିଲେ। ଏହା ବିଜେପି ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଏଥର ମଧ୍ୟ ସେ ପୁଣି ବିଜେପିରୁ ଟିକେଟ୍ ଆଶାରେ ଥିଲେ କିନ୍ତୁ ଅଭିନନ୍ଦନଙ୍କୁ ଟିକେଟ୍ ମଳିଥିବାରୁ ସେ ତାଙ୍କର ଅସନ୍ତୋଷ ଖୋଲାଖୋଲି ଜଣାଇସାରିଛନ୍ତି।

୪ ପାଖିଆ ଲଢ଼େଇ ସମ୍ଭାବନା

ଦଳୀୟ କନ୍ଦଳ ଦୃଷ୍ଟିରୁ ବିଜେଡିରେ କୌଣସି ଘଟଣା ସାମ୍ନାକୁ ଆସିନାହିଁ। ତଥାପି ସେମିତି ଆଶଙ୍କାକୁ ପୂରା ଏଡ଼ାଇ ଦେଇ ହେବନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ଏମିତି ବି ନୂଆପଡ଼ାରେ ବହୁତ ବ୍ୟବଧାନରେ ଜିତିବା ସହଜ ନୁହେଁ। ତେଣୁ ଏଥର ଏକପାଖିଆ ନୁହେଁ ବରଂ ଚାରିପାଖିଆ ଲଢ଼େଇ ହେବାର ସମ୍ଭାବନା ରହିଛି।

୨୦୦୯ରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ରଙ୍କୁ ମିଳିଥିଲା ୫୬,୮୭୪ ଭୋଟ୍। ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ୩୪,୨୫୪ ଓ କଂଗ୍ରେସ ପ୍ରାର୍ଥୀ ସରୋଜ ସାହୁ ୨୨,୪୫୦ ଭୋଟ୍ ପାଇଥିଲେ। ୨୦୧୪ରେ ବସନ୍ତ ପଣ୍ଡା ୫୫, ୮୧୭ ଭୋଟ୍ ପାଇ ବିଜୟୀ ହୋଇଥିଲେ। ରାଜେନ୍ଦ୍ର ଢୋଲକିଆ ୪୬,୨୦୭ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଅପ୍ରତ୍ୟାଶିତ ଭାବେ ବହୁତ ଭଲ ପ୍ରଦର୍ଶନ କରି ୩୯,୬୫୪ ଭୋଟ୍ ପାଇଥିଲେ।

୨୦୧୯ରେ ବିଜେଡିରୁ ରାଜେନ୍ଦ୍ର ୬୫,୬୪୭ ପାଇ ଜିତିଥିବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ପୂର୍ବ ଅପେକ୍ଷା ଆହୁରି ଭଲ ପ୍ରଦର୍ଶନ କରି ୪୫,୩୧୭ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନକୁ ଉଠିଥିଲେ। ବିଜେପିର ହୋମ ସିଂ ମାଝି ୨୯,୪୯୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

Tags: #OdishaAssemblyElections #NuapadaAssemblyseat #SaratPattanayak #RajendraDholakia #AbhinandanPanda #BJD #Congress #BJP #Politics #Odisha

Comment