ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସବୁ ସ୍କୁଲରେ ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହୋଇଛି। ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସୋମବାରଠାରୁ ବୁଧବାର ଯାଏଁ ୩ ଦିନ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ସ୍କୁଲ ଚାଲିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଏଥିପାଇଁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛି।
ତେବେ ଗ୍ରୀଷ୍ମ ଛୁଟି କେବେ ସରିବ ସେ ନେଇ କୌଣସି ଘୋଷଣା କରାଯାଇନାହିଁ। ଜୁନ ମାସର ମଧ୍ୟଭାଗରେ ସ୍କୁଲ ଖୋଲିବ ବୋଲି ଆଶା କରାଯାଉଛି।
ଓଡ଼ିଶାରେ ଏପ୍ରିଲ ୨ ତାରିଖରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠପଢ଼ା ଆରମ୍ଭ ହୋଇଥିଲା। ତେବେ ରାଜ୍ୟରେ ପ୍ରବଳ ଖରାକୁ ନେଇ ଏପ୍ରିଲ ୧୮ ତାରିଖରୁ ୨୦ ତାରିଖ ଯାଏଁ ସ୍କୁଲ ବନ୍ଦ ରହିଥିଲା।
Tags: #Schools #SummerVacation #Heatwave #Students #Education #SMEOdisha