ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ସମ୍ପତ୍ତି ୫ ବର୍ଷରେ ବଢ଼ିଛି ୪୫ ପ୍ରତିଶତ। ନାରା ଲୋକେଶଙ୍କ ସମ୍ପତ୍ତିର ମୂଲ୍ୟ ଏବେ ୫୪୨ କୋଟି ଟଙ୍କା। ୨୦୧୯ ମସିହାରେ ଲୋକେଶଙ୍କ ପାଖରେ ୩୭୩ କୋଟି ଟଙ୍କାର ସମ୍ପତ୍ତି ଥିଲା।

ନାରା ଲୋକେଶ ଟିଡିପି ଟିକେଟରୁ ମଙ୍ଗଳଗିରି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ସେ ଦାଖଲ କରିଥିବା ସତ୍ୟପାଠରେ ନିଜ ସମ୍ପତ୍ତିର ବିବରଣୀ ଦେବା ପରେ ଏହା ସ୍ପଷ୍ଟ ହୋଇଛି। ସତ୍ୟପାଠରୁ ସ୍ପଷ୍ଟ ହୋଇଛି ଯେ ୨୦୧୯ ମସିହା ତୁଳନାରେ ଏବେ ଲୋକେଶ, ତାଙ୍କ ପତ୍ନୀ ଓ ଛୋଟ ପୁଅ ନାଁରେ ଅଧିକ ୧୬୯ କୋଟି ଟଙ୍କାର ସମ୍ପତ୍ତ ରହିଛି।

ଏହାବାଦ ୪୧ ବର୍ଷୀୟ ଲୋକେଶଙ୍କ ନାଁରେ ମୋଟ ୨୪ଟି ଅପରାଧିକ ମାମଲା ରହିଛି। ଏହା ମଧ୍ୟରେ ଅମରାବତୀ ଇନର ରୋଡ ଦୁର୍ନୀତି ମାମଲା ଅନ୍ୟତମ।

ସମ୍ପତ୍ତି କଥା ବିଚାରକୁ ନେଲେ ଲୋକେଶ, ପତ୍ନୀ ବ୍ରାହ୍ମଣୀ ଓ ପୁଅ ନାଁରେ ୩୯୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ହେରିଟେଜ ଫୁଡ୍ସ, ହେରିଟେଜ ଫିନଲୀଜ, ନିର୍ବାଣ ହୋଲ୍ଡିଂ ଓ ମେଗାବିଗ ଫାଇନ୍ସରେ ଏମାନେ ଟଙ୍କା ଲଗାଇଛନ୍ତି।

ଲୋକେଶ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୧୪୮ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ହାଇଦ୍ରାବାଦର ଜୁବଲି ହିଲ୍ସ, ମନିକୋଣ୍ଡା, ମଦିନାଗୁଡ଼ା ଓ ମାଧପୁରରେ ଏହି ସବୁ ସମ୍ପତ୍ତି ରହିଛି।

ଆସନ୍ତା ମେ’ ୧୩ ତାରିଖରେ ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ ବିଧାନସଭା ଆସନ ଓ ୨୫ ଲୋକସଭା ଆସନରେ ପାଇଁ ଭୋଟଦାନ ହେବ।

Tags:  #Politics #AndhraPradeshPolitics #NaraLokesh #AndhraPradeshElections2024 #Assets

Comment