ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ବାଲାଟ୍ ପେପରରେ ଭୋଟିଂ ତଥା ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ଯାଞ୍ଚକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ଏହି ମାମଲାରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ଦେଶରେ ଇଭିଏମ ଦ୍ଵାରା ଭୋଟିଂ କରାଇବା ନେଇ କୌଣସି ଅସୁବିଧା ନଥିବା ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି।

ଭିଭିପିଏଟି ସ୍ଲିପ୍ ସହ ଇଭିଏମ୍ ଜରିଆରେ ଦିଆଯାଇଥିବା ଭୋଟକୁ ଶତ ପ୍ରତିଶତ ଟାଲି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଥିଲେ।

ଏହି ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି, “ନିର୍ବାଚନୀ ଫଳାଫଳ ଘୋଷଣା ହେବାର ୭ ଦିନ ମଧ୍ୟରେ ହାରିଥିବା ପ୍ରାର୍ଥୀ ଇଭିଏମର ପୁନଃ ଯାଞ୍ଚ ପାଇଁ ଦାବି କରିପାରିବେ। ନିର୍ବାଚନ ଆୟୋଗ ପକ୍ଷରୁ ଇଞ୍ଜିନିୟରମାନେ ଇଭିଏମର ମାଇକ୍ରୋ କଣ୍ଟ୍ରୋଲରର ମେମୋରି ଯାଞ୍ଚ କରିବେ। ନିର୍ବାଚନରେ ବ୍ୟବହୃତ ଇଭିଏମ ଠିକ୍ ଅଛି କି ନାହିଁ ଏହାଦ୍ଵାରା ପ୍ରାର୍ଥୀ ଜାଣିପାରିବେ। ହେଲେ ପ୍ରାର୍ଥୀଙ୍କୁ ଏହାର ଖର୍ଚ୍ଚ ବହନ କରିବାକୁ ପଡ଼ିବ।”

ସେହିପରି ଇଭିଏମର ସିମ୍ବଲ ଲୋଡିଂ ୟୁନିଟକୁ (ଏସଏଲୟୁ) ନିର୍ବାଚନ ଫଳ ଘୋଷଣା ହେବାପରେ ୪୫ ଦିନ ଯାଏଁ ସିଲ୍ କରି ରଖିବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ଶୁକ୍ରବାର ଶୁଣାଣିବେଳେ ଦେଶରେ ବାଲାଟ୍ ପେପର ମାଧ୍ୟମରେ ନିର୍ବାଚନ କରାଯିବା ନେଇ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ଏହି ମାମଲାରେ ସୁପ୍ରିମକୋର୍ଟ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

Tags: #SupremeCourt #Elections #EVM #VVPAT #ECI #India

LEAVE A REPLY

Please enter your comment!
Please enter your name here