ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାର୍ଟି ପ୍ରସ୍ତୁତ, ପ୍ରାର୍ଥୀ ବି ପ୍ରସ୍ତୁତ ବଲାଙ୍ଗିର ଲୋକସଭା ଆସନ ପାଇଁ ଏଥର ନର୍ବାଚନୀ ମଇଦାନରେ ଲଢ଼େଇ ହେବ ଜୋରଦାର।
ଓଡ଼ିଶାର ୨୧ ଲୋକସଭା ଆସନ ମଧ୍ୟରୁ ବଲାଙ୍ଗିର ଆସନରେ ଏଥର ରୋଚକ ହେବାକୁ ଯାଉଛି ନିର୍ବାଚନୀ ଲଢ଼େଇ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ମଇଦନରେ ହେବେ ମୁହାଁମୁହିଁ। ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ, ବିଜେପି ପ୍ରାର୍ଥୀ ସଂଗୀତା କୁମାରୀ ସିଂ ଦେଓ ଏବଂ କଂଗ୍ରେସ ପ୍ରାର୍ଥୀ ମନୋଜ ମିଶ୍ରଙ୍କ ମଧ୍ୟରେ ଦେଖିବାକୁ ମିଳିବ ଦମଦାର ଫାଇଟ।
୨୦୧୪ରେ ବଲାଙ୍ଗିର ଲୋକସଭା ଆସନ ବିଜେଡି କବ୍ଜାକୁ ଆସିଥିଲା। ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂ ଦେଓ ଏବଂ ବିଜେପି ପ୍ରାର୍ଥୀ ସଂଗୀତା କୁମାରୀ ସିଂ ଦେଓ ମଧ୍ୟରେ ହୋଇଥିବା ରାଜନୈତିକ ଲଢ଼େଇରେ ବିଜୟୀ ହୋଇଥିଲେ କଳିକେଶ। କିନ୍ତୁ ୨୦୧୯ ନିର୍ବାଚନ ବେଳେ ବଦଳିଥିଲା ଭୋଟରଙ୍କ ମୁଡ୍। ନିର୍ବାଚନ ବାଜି ହାତେଇଥିଲା ବିଜେପି।ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂ ଦେଓଙ୍କଠାରୁ ମାତ୍ରା ୨୦ ହଜାର ଭୋଟରେ ଆଗୁଆ ରହି ବଲାଙ୍ଗିର ଲୋକସଭା ଆସନ ହାତେଇ ଥିଲେ ବିଜେପି ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓ।
୨୦୧୯ର ଚିତ୍ର ଦେଖିଲେ ବଲାଙ୍ଗିର ଲୋକସଭା ଆସନ ଅନ୍ତର୍ଗତ ୭ଟଇ ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୪ଟି, କଂଗ୍ରେସକୁ ଦୁଇଟି ଓ ବିଜେପି ଖାତାକୁ ଗୋଟିଏ ଆସନ ଯାଇଥିଲା। ବଲାଙ୍ଗିର ଲୋକସଭା ଆସନ ଅନ୍ତର୍ଗତ ସୁବର୍ଣ୍ଣପୁରର ବୀରମହାରାଜପୁରରୁ ପଦ୍ମନାଭ ବେହେରା ଓ ସୋନପୁରରୁ ନିରଞ୍ଜନ ପୂଜାରୀ, ପାଟଣାଗଡ଼ରୁ ସରୋଜ ମେହେର ଓ ଟିଟିଲାଗଡ଼ରୁ ଟୁକୁନି ସାହୁଙ୍କ ଭଳି ହେଭିୱେଟ ନେତାଙ୍କ ବିଜୟ ସତ୍ତ୍ୱେ ଲୋକସଭା ଆସନ ବିଜେଡି ହାତରୁ ଖସିଯାଇଥିଲା। ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସଂଗୀତା ସିଂ ଦେଓଙ୍କୁ ବିଜୟୀ କରିବାରେ ସହାୟକ ହୋଇଥିଲା ବୋଲି ରାଜନୈତିକ ପଣ୍ଡିତମାନେ ମତ ଦିଅନ୍ତି।

ଆଦିବାସୀ ଭୋଟ ଓ ବିଜେଡି ସଂଗଠନ ଭରସାରେ ସୁରେନ୍ଦ୍ର
ଏକଦା କଂଗ୍ରେସର ଟାଣୁଆ ସଂଗଠକ ଭାବେ ପରିଚିତ ଥିବା ସୁରେନ୍ଦ୍ର ସିଂ ଭୋଇ ଏଥର ଶଙ୍ଖ ଦଳରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ବିଜେଡିରେ ମିଶିବା ପରେ ସଂଗଠନ ଆଧାରରେ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ବଲାଙ୍ଗିର ଲୋକସଭା ଆସନ ଅନ୍ତର୍ଗତ ବିଭିନ୍ନ ବିଧାନସଭା ମଣ୍ଡଳୀରେ ଥିବା ଆଦିବାସୀ ଭୋଟରଙ୍କୁ ସୁରେନ୍ଦ୍ର ନିଜ ପକ୍ଷକୁ ଟାଣିବାକୁ ଦକ୍ଷତା ରଖନ୍ତି। ଏହାସହ ବିଜେଡି ସଂଗଠନ ଭୋଟ୍ ମଧ୍ୟ ତାଙ୍କୁ ନିର୍ବାଚନରେ ସହଯୋଗ କରିବ। ନବୀନ ସରକାରଙ୍କ ଲୋକପ୍ରିୟତା ଯୋଗୁଁ ଭୋଟର ତାଙ୍କ ସପକ୍ଷରେ ଯିବେ ବୋଲି ଆଶା ରଖିଛନ୍ତି ସୁରେନ୍ଦ୍ର ସିଂ ଭୋଇ।

ପୁଣି ସଂଗୀତାଙ୍କ ଉପରେ ବିଜେପିର ଭରସା
ବିଜେପି ଏଥର ଲୋକସଭା ପ୍ରାର୍ଥୀ ଅପରିବର୍ତ୍ତିତ ରଖିଛି। ସଂଗୀତା କୁମାରୀ ସିଂ ଦେଓଙ୍କୁ ଟିକଟ ଦେଇ ପୁନର୍ବାର ମହିଳା କାର୍ଡ ଖେଳିଛି ବିଜେପି। ବିରୋଧୀ ପ୍ରାର୍ଥୀଙ୍କ ତୁଳନାରେ ସଂଗୀତାଙ୍କ ଲୋକସଭା ନିର୍ବାଚନରେ ଯଦିଓ ଅଭିଜ୍ଞତା ଅଧିକ ରହିଛି, କିନ୍ତୁ ବିଭିନ୍ନ ବିଧାନସଭା ଆସନରେ ପ୍ରାର୍ଥୀ ଚୟନକୁ ନେଇ ଦଳରେ ଅସନ୍ତୋଷ ଲାଗି ରହିଛି।
ସଂଗୀତା ସିଂ ଦେଓ ଉଭୟ ଜିଲ୍ଲାରେ କ୍ରମାଗତ ଦଳୀୟ କାର୍ଯ୍ୟକ୍ରମ କରିବା ସହ କର୍ମୀଙ୍କୁ ଯୋଡ଼ିବାରେ ଲାଗିପଡ଼ିଛନ୍ତି। କେନ୍ଦ୍ର ସରକାରଙ୍କ ବିକାଶର ନାରା ଘରେ ଘରେ ପହଞ୍ଚାଇ ଭୋଟରଙ୍କୁ ମନଉଛନ୍ତି। ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ନେତାଙ୍କ ପ୍ରଚାର ତାଙ୍କୁ ଆହୁରି ବଳ ଦେବ ବୋଲି ଆଶା କରାଯାଉଛି। ଅପରପକ୍ଷେ ଟିକେଟ ଆଶାୟୀରୁ ବିଦ୍ରୋହୀ ପାଲଟିଥିବା ବଳରାମ ସିଂ ଯାଦବ ବିଜେପିର କେତେକ ଅସନ୍ତୁଷ୍ଟ ନେତାଙ୍କୁ ନେଇ ସଂଗଠନ କରୁଛନ୍ତି। କେବଳ ସେତିକି ନୁହେଁ ସାଂସଦ ଭାବରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ମଧ୍ୟ ଘୋଷଣା କରିସାରିଛନ୍ତି।

କୋଶଲ ନାରାକୁ ଅସ୍ତ୍ର କରିଛନ୍ତି ମନୋଜ
ଅନ୍ୟ ପକ୍ଷରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ଗୁରୁ କରି କଂଗ୍ରେସରୁ ଟିକଟ ହାତେଇଥିବା ଅଭିନେତା ମନୋଜ ମିଶ୍ର ଏଥର ପ୍ରଥମଥର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ମନୋଜ ଆରମ୍ଭରୁ କୋଶଲ ନାରା ଦେଇ ନିଜସ୍ୱ ଏକ ଜନମତ ପ୍ରସ୍ତୁତ କରିଛନ୍ତି। ଏହ ବ୍ୟତୀତ କଂଗ୍ରେସର ଦଳୀୟ ଏଜେଣ୍ଡାକୁ ନିଜ ନିର୍ବାଚନୀ ସଂଗ୍ରାମର ଅସ୍ତ୍ର କରିଛନ୍ତି ମନୋଜ।
ମନୋଜ ମିଶ୍ର ନିଜ ପ୍ରଚାର ଆରମ୍ଭ କରିସାରିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ହାଇ ଭୋଲଟେଜ୍ ପ୍ରଚାରକୁ ଓହ୍ଲାଇ ନାହାନ୍ତି। ବିଭିନ୍ନ ଗାଁରେ ସଭାସମିତି, ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇ ଜନସମ୍ପର୍କ ଜାରି ରଖିଛନ୍ତି। ତାଙ୍କୁ ଦଳ କୋଶଲ ନାରା ଓ କଂଗ୍ରେସର ମୂଳ ଭୋଟ୍ ନିହାତି ଭାବେ ସହଯୋଗ କରିପାରେ। ତେବେ କ୍ରମାଗତ ୩ଟି ନିର୍ବାଚନରେ କଂଗ୍ରେସର ଭୋଟହାର ନିୟମିତ କମିଥିବା ଦୃଷ୍ଟାନ୍ତ ରହିଛି। ଏଭଳି ସ୍ଥିତିରେ ମନୋଜଙ୍କ ହାତକୁ କିଭଳି ବଳ ମିଳିବ ତାହା ସମୟ କହିବ।
Tags: #Politics #OdishaPolitics #GeneralElections2024 #BalangiriLoksabhaSeat #SangitaKumariSinghDeo #PoliticalFight #ManojMishra #SurendraSinghBhoi #BJD #BJP #Politics #Odisha