ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିରୁ ଇସ୍ତଫା ଦେଇଛନ୍ତି ଖୋର୍ଦ୍ଧାର ବରିଷ୍ଠ ନେତା କାଳୁଚରଣ ଖଣ୍ଡାୟତରାୟ। ମଙ୍ଗଳବାର ସେ ତାଙ୍କ ଅନେକ ସମର୍ଥକଙ୍କ ସହ ବିଜେପିର ପ୍ରାଥମିକ ସଦସ୍ୟତା ଛାଡ଼ିଛନ୍ତି। ଖୋର୍ଦ୍ଧା ବିଧାନସଭା ଆସନରୁ ତାଙ୍କୁ ଟିକେଟ ନମିଳିବାରୁ ସେ ଦଳରୁ ଛାଡ଼ିଥିବା କୁହାଯାଉଛି। ଏବେ ସେ ଖୋର୍ଦ୍ଧାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।  

“ଦଳରେ ମୋ ସହିତ ଷଡ଼ଯନ୍ତ୍ର କରାଯାଇଛି। ଖୋର୍ଦ୍ଧାରେ ଯେଉଁ ଦଳ ପାଇଁ ମୁଁ ୧୦ ବର୍ଷରୁ ଅଧିକ ସମୟରୁ କାମ କରି ଆସୁଥିଲି, ଆଜି ସେହି ଦଳରେ ଅଳ୍ପ ଦିନ ତଳେ ସାମିଲ ହୋଇଥିବା ଜଣେ ନେତାଙ୍କୁ ବିଧାୟକ ପ୍ରାର୍ଥୀ କରାଯାଇଛି। ଏ ବିଷୟରେ ମୋ ସହ ଟିକେ ହେଲେ ବି ଆଲୋଚନା କରାଗଲା ନାହିଁ। ଏଥିପାଇଁ ମୁଁ ସମର୍ଥକଙ୍କ ନିଷ୍ପତ୍ତି କ୍ରମେ ଦଳରୁ ଇସ୍ତଫା ଦେଇଛି। ଏବେ ଖୋର୍ଦ୍ଧାରୁ ସ୍ଵାଧୀନ ଭାବେ ଲଢ଼ିବି”, କହିଛନ୍ତି କାଳୁଚରଣ ଖଣ୍ଡାୟତରାୟ।

କାଳୁଚରଣ ଖଣ୍ଡାୟତରାୟ ଇସ୍ତଫା ଦେବା ପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେବାବେଳେ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ଟିକେଟ ନମିଳିବା ପଛରେ ଭୁବନେଶ୍ଵରରୁ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ହାତ ଥିବା ସେ ଅଭିଯୋଗ କରିଥିଲେ। ଆସନ୍ତା ନିର୍ବାଚନରେ ଖୋର୍ଦ୍ଧାରେ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ପ୍ରଚାର କରିବେ ବୋଲି ସେ କହିଛନ୍ତି।

ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ଟିକେଟ ଆଶାୟୀ ଥିଲେ କାଳୁଚରଣ ଖଣ୍ଡାୟତରାୟ। ହେଲେ ଏଥର ତାଙ୍କୁ ଦଳ ଟିକେଟ ଦେଇନାହିଁ। ତାଙ୍କ ବଦଳରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି। ଯାହାକୁ ନେଇ କାଳୁଚରଣ ଖଣ୍ଡାୟତରାୟ ଅସନ୍ତୁଷ୍ଟ ଥିଲେ।

୨୦୧୯ ନିର୍ବାଚନରେ ସେ ଖୋର୍ଦ୍ଧା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ବହୁ କମ୍ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଏବେ ସେ ସ୍ଵାଧୀନ ଭାବେ ଲଢ଼ିବାକୁ ଯାଉଥିବାରୁ ଖୋର୍ଦ୍ଧାରେ ରାଜନୈତିକ ସମୀକରଣ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।  

Tags: #KalucharanKhandayatRay #BJP #KhordhaAssemblySeat #Politics #Odisha

Comment