ଓଡ଼ିଶାଲାଇଭ୍ ବ୍ୟୁରୋ

ସାଇବର ଠକାମିର ଶିକାର ହୋଇଥିବା ଲୋକେ ‘ସଞ୍ଚାର ସାରଥି ପୋର୍ଟାଲ’ ଏବଂ ‘ଚକ୍ଷୁ’ ଆପ ଦ୍ଵାରା ଘରୁ କରିପାରିବେ ଅଭିଯୋଗ।

ଦିନକୁ ଦିନ ବଢ଼ି ଚାଲିଥିବା ସାଇବର କ୍ରାଇମ୍ ଲୋକମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରତିଦିନ ଓଡ଼ିଶାରେ ବିଭିନ୍ନ ପ୍ରକାର ସାଇବର କ୍ରାଇମର ଏକାଧିକ ମାମଲା ସାମ୍ନା ଆସୁଛି। ଏ ସବୁକୁ ନଜରରେ ରଖି ଗୁରୁବାର କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ସ୍ଥିତ ପୋଲିସ ସେବା ଭବନରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସାଇବର ଠକାମିର ଶିକାର ହୋଇଥିବା ଲୋକେ କିଭଳି ଘରୁ ଅଭିଯୋଗ କରିପାରିବେ ସେ ବିଷୟରେ ସାଇବର କ୍ରାଇମ ଏସିପି ଅଞ୍ଜନା ଟୁଡୁ ଆଲୋଚନା କରିଥିଲେ। ବିଶେଷ କରି ସ୍କୁଲ ଓ କଲେଜ ପିଲାଙ୍କୁ ଏହି ବିଷୟରେ ସଚେତନ କରିବା ପାଇଁ ଏଠାରେ ସ୍ଵେଚ୍ଛାସେବୀମାନଙ୍କୁ କୁହାଯାଇଥିଲା।

“ସାଇବର କ୍ରାଇମ ବାବଦରେ ଲୋକେ ଅଧିକ ସତର୍କ ହେବ ଜରୁରୀ। ଆଜିକାଲି ସାଇବର ଅପରାଧମାନେ ବିଭିନ୍ନ ନୂଆ ନୂଆ ପନ୍ଥାରେ ଲୋକଙ୍କୁ ଠକୁଛନ୍ତି। ବିଶେଷ କରି ଯୁବପିଢ଼ି ଏହାର ଶିକାର ହେଉଛନ୍ତି। ତେବେ ସାଇବର ଠକାମିର ଶିକାର ହେଉଥିବା ଲୋକେ ଏବେ ଘରୁ ମଧ୍ୟ ଏହାର ଅଭିଯୋଗ କରିପାରିବେ। ଏନେଇ ସାଇବର ପୋର୍ଟାଲରେ ମଧ୍ୟ ଆବେଦନ କରିହେବ”, କହିଛନ୍ତି ଏସିପି ଅଞ୍ଜନା ଟୁଡୁ।

ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ଲୋକଙ୍କୁ କୌଣସି ଏକ ନମ୍ବରରୁ ବ୍ଲାକମେଲିଂ କିମ୍ବା ଧମକପୂର୍ଣ୍ଣ କଲ୍ କି ମେସେଜ ଆସୁଛି, ତେବେ ସେମାନେ ପ୍ରଥମେ ସଞ୍ଚାର ସାରଥି ୱେବସାଇଟରେ ଥିବା ‘ଚକ୍ଷୁ’ ଆପରେ ଉକ୍ତ ନମ୍ବରକୁ ବ୍ଲକ କରିପାରିବେ। ସେହିପରି ସାଇବର ଠକାମିରେ ଆକାଉଣ୍ଟରୁ ଟଙ୍କା ଉଡିଗଲେ ଏହାର ୧ ଘଣ୍ଟାର ଗୋଲ୍ଡେନ ଆୱାର ମଧ୍ୟରେ ଯଦି ୧୯୩୦ ନମ୍ବରରେ କଲ୍ କରି ଲୋକେ ଟ୍ରାନଜାକ୍ସନ୍ ଆଇଡି ଦେବାଦ୍ଵାରା ସେମାନଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇ ପାରିବ।”

କାର୍ଯ୍ୟକ୍ରମରେ ବିଭିନ୍ନ ସାଇବର ଠକାମି ଉପରେ ଆଲୋଚନା ହେବା ସହ ଏଥିରୁ ଲୋକେ କିଭଳି ବର୍ତ୍ତିପାରିବେ, ସେ ବିଷୟରେ ବିଭିନ୍ନ ଭିଡିଓ ମାଧ୍ୟମରେ ସଚେତନ କରିଥିଲା କମିଶନରେଟ ପୋଲିସ।

ଏହି କାର୍ଯ୍ୟକ୍ରମରେ ସାଇବର ଏକ୍ସପର୍ଟ ସଂସ୍ଥା ‘ସାଇବର ମିତ୍ର’ ଏବଂ ‘ୟଙ୍ଗ ଇଣ୍ଡିଆନ୍ସ’ ଏଜିଓର ସଦସ୍ୟମାନେ ଦେଇଥିଲେ। ଏହାସହ କମିଶନରେଟ ପୋଲିସ ପକ୍ଷରୁ ମହିଳାଙ୍କ ସୁରକ୍ଷା ପାଇଁ ନିୟୋଜିତ ‘ହାଇ ଏଫିସିଏନ୍ସି ରେସପନ୍ସ’ (ହର୍) ଟିମର ସଦସ୍ୟମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।  

Tags: #CyberSecurity #SancharSarathiApp #CommissioneratePolice #Bhubaneswar

LEAVE A REPLY

Please enter your comment!
Please enter your name here