ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଡକ୍ଟର ସଂତୃପ୍ତ ମିଶ୍ର। ଶୁକ୍ରବାର ବିରାଟ ଶୋଭାଯାତ୍ରାରେ ଆସି ସେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଡକ୍ଟର ସଂତୃପ୍ତ ମିଶ୍ର କଟକରେ ବିରାଟ ଶୋଭାଯାତ୍ରା କରିଥିଲେ। ସିଡିଏ ସେକ୍ଟର-୧୦ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ଏହି ଶୋଭାଯାତ୍ରା ବାହାରିଥିଲା। ସେ ବିଜୁ ପଟ୍ଟନାୟକ ପାର୍କ ନିକଟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରି ବିରାଟ୍ ପଟୁଆରରେ ବାହାରିଥିଲେ।

ଶୋଭାଯାତ୍ରାରେ କଟକ ଲୋକସଭାର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜେଡି କର୍ମୀ ସାମିଲ ହୋଇଥିଲେ। ସଂତୃପ୍ତଙ୍କ ଶୋଭାଯାତ୍ରା କଟକ ଜୁଡିସିଆଲ୍ ଏକାଡେମୀ ଛକରେ ପହଞ୍ଚିବା ପରେ ତାଙ୍କୁ ସମର୍ଥକମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାପରେ ସେ ଦଳୀୟ କର୍ମୀଙ୍କ ଗହଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ।

“କଟକରେ ଏଥର ସତ୍ୟର ଲଢ଼େଇ ହେବାକୁ ଯାଉଛି। ଓଡ଼ିଶାରେ ଜାରି ରହିଥିବା ସତ୍ୟ, ଧର୍ମ ଓ ବିକାଶର ବାସ୍ତବ ଚିତ୍ର ହିଁ ଜନମାନସରେ ପ୍ରତିଫଳିତ ହେଉଥିବା ଦେଖା ଯାଉଛି। କଟକର ଲୋକମାନେ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ରୂପାନ୍ତରଣକୁ ହୃଦୟଙ୍ଗମ କରି ଆଗେଇ ଆସିଛନ୍ତି। ଏଥର କଟକ ମାଟିରେ ମୁଁ ବିପୁଳ ଭୋଟରେ ବିଜୟ ଲାଭ କରିବି ବୋଲି ଆଶାବାଦୀ ଅଛି”, କହିଛନ୍ତି ଡକ୍ଟର ସଂତୃପ୍ତ ମିଶ୍ର।

ଏହି ଶୋଭାଯାତ୍ରାରେ ଆଠଗଡ଼ରୁ ବିଜେଡିର ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବାରବାଟୀ-କଟକ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, କଟକ-ସଦର ବିଜେଡି ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା, ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ କଟକ ମେୟର ସୁବାସ ସିଂହ ପ୍ରମୁଖ ଯୋଗ ଦେଇଥିଲେ।

Tags: #CuttackLoksabhaSeat #SantruptMisra #BJD #Politics #Cuttack #Odisha

Comment