ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ପାମିଡ଼ି ନିକଟ ତନଖି ଫାଟକରେ ଯାଞ୍ଚ କରୁଥିବାବେଳେ ଆନ୍ଧ୍ରପ୍ରଦେଶ ପୋଲିସ ୪ଟି କଣ୍ଟେନର ଟ୍ରକରୁ ଜବତ କରିଛି ୨ ହଜାର କୋଟି ଟଙ୍କା।

ପାମିଡ଼ି ନିକଟରେ ଥିବା ତନଖି ଫାଟକରେ ଯାଞ୍ଚ କରୁଥିଲାବେଳେ ସେହି ବାଟ ଦେଇ ୪ଟି କଣ୍ଟେନର ଯାଉଥିଲା। ଏହି ଟ୍ରକଗୁଡ଼ିକର ଆଗରେ ଏବଂ ପଛରେ ପୋଲିସ ଗାଡ଼ି ଯାଉଥିବାରୁ ସନ୍ଦେହ କରି ଫାଟକ ନିକଟରେ ଯାଞ୍ଚ କରୁଥିବା ପୋଲିସ ଟ୍ରକଗୁଡ଼ିକୁ ଅଟକାଇ ଥିଲା। ଟ୍ରକଗୁଡ଼ିକର ଯାଞ୍ଚ ବେଳେ ଯାହା ଦେଖିବାକୁ ମିଳିଥିଲା ପୋଲିସର ହୋସ ଉଡ଼ାଇ ଦେଇଥିଲା। ସମସ୍ତ ଟ୍ରକରେ ଭରି ହୋଇରହିଥିଲା ବିଡ଼ା ବିଡ଼ା ନୋଟ।

କଣ୍ଟେନର ଟ୍ରକ୍‌ରୁ ଏତେ ପରିମାଣର ନୋଟ ଦେଖି ଅନନ୍ତପୁର ପୋଲିସ ଡିଜିଙ୍କୁ ସୂଚନା ଦିଆଯାଇଥିଲା। ଏହା ପରେ ପୋଲିସ ଡିଜିଙ୍କ ସହ ଅନନ୍ତପୁର ଇନକମ ଟ୍ୟାକ୍ସ ବିଭାଗ ଅଧିକାରୀ, ନିର୍ବାଚନ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତଦନ୍ତ ସମୟରେ ଜବତ ହୋଇଥିବା ଟ୍ରକର ଡ୍ରାଇଭର ପୋଲିସକୁ ଦେଇଥିବା ସରକାରୀ ବିବୃତ୍ତି ଅନୁଯାୟୀ ଏହି ସମସ୍ତ ଟଙ୍କା କେରଳର କୋଚି ରିଜିଓନାଲ ଅଫିସରୁ ହାଇଦ୍ରାବାଦ ଆରବିଆଇ କାର୍ଯ୍ୟାଳୟକୁ ଯାଉଥିଲା। ଏହି ୨ ହଜାର କୋଟି ଟଙ୍କା ମଧ୍ୟରୁ ୫୦୦ କୋଟି ଟଙ୍କା ଆଇସିଆଇସିଆଇ ବ୍ୟାଙ୍କର ହୋଇଥିବାବେଳେ ୫୦୦ କୋଟି ଟଙ୍କା ଆଇଡିବିଆଇ ବ୍ୟାଙ୍କ ଏବଂ ୧୦୦୦ କୋଟି ଟଙ୍କା ଫେଡେରାଲ ବ୍ୟାଙ୍କର ରହିଛି।

ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରିବା ପରେ ଟ୍ରକଗୁଡ଼ିକୁ ଛାଡ଼ି ଦିଆଯାଇଥିବା ପୋଲିସ ଡିଜି ଆମି ରେଡ୍ଡୀ କହିଛନ୍ତି।

ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଥିବାରୁ ଟ୍ରକଗୁଡ଼ିକୁ ଅଟକ ରଖାଯାଇଥିଲା ଓ ଏହାର ଯାଞ୍ଚ କରାଯାଇଥିଲା ବୋଲି ଡିଜି କହିଛନ୍ତି।

Tags: #AndhraPradesh #PoliceInvestigation #CashSeized #AndhraPradeshPolice

Comment