ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ସୋମବାର ଶ୍ରୀଜୀଉଙ୍କ ପଇତାଲାଗି ନୀତି ପାଇଁ ତିଥି ଧାର୍ଯ୍ୟ ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ପଇତାଲାଗି ନୀତି ପାଇଁ ସୋମବାର ଶ୍ରୀମନ୍ଦିରରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ ରହିବ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଏହି ନୀତି କରିବେ। ଏହାପରେ ଦର୍ଶନ ସ୍ଵାଭାବିକ ହେବ।

ସୋମବାର ଶ୍ରୀମନ୍ଦିରର ଦ୍ଵିତୀୟ ଭୋଗମଣ୍ଡପରେ ଭୋଗ ନୀତି ଶେଷ ହେବା ପରେ ଦଇତାପତି ସେବକମାନେ ରତ୍ନ ସିଂହାସନରେ ପଇତାଲାଗି ନୀତି କରିବେ। ଏଥିପାଇଁ ପହୁଡ଼ ଆଳତି ପରେ ଜୟ-ବିଜୟ ଦ୍ଵାର ବନ୍ଦ କରାଯିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ।

ପଇତାଲାଗି ନୀତି ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ଲାଗି କରାଯାଇଥାଏ। ଏଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତା ଲାଗି ହୋଇଥାଏ। ଏହି ନୀତି ପାଇଁ ପୂର୍ବଦିନରୁ ଶ୍ରୀମନ୍ଦିରରେ ସବୁ ପ୍ରସ୍ତୁତି କରାଯାଇଥାଏ।

Tags: #Srimandir #PaitalagiRitual #SriJagannath #Tradition #Culture #Puri

Comment