ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକର ହାସନ ଜିଲ୍ଲାରେ ଅନେକ ମହିଳାଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲା ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ମାମଲାରେ ଏବେ ଛନ୍ଦି ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବଗୌଡାଙ୍କ ନାତି ତଥା ଜେଡିଏସ୍ ସାଂସଦ ପ୍ରଜ୍ଜ୍ଵଳ ରେଭନ୍ନା। ଘଟଣା ସାମ୍ନାକୁ ଆସିବାପରେ ପ୍ରଜ୍ଜ୍ଵଳ ଫେରାର ହୋଇଯାଥିବାବେଳେ ଏହାକୁ ଏନେଇ ବଡ଼ ଧରଣର ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଉକ୍ତ ମାମଲାରେ ପ୍ରଜ୍ଜ୍ଵଳଙ୍କ ବାପା ଏଚଡ଼ି ରେଭନ୍ନା ମଧ୍ୟ ସାମିଲଥିବା ଅଭିଯୋଗ ରହିଛି।

ଏହି ଯୌନ ନିର୍ଯାତନା ମାମଲାର ଯାଞ୍ଚ କରିବା ପାଇଁ କର୍ଣ୍ଣାଟକ ସରକାର ଏକ ଏସଆଇଟି ଗଠନ କରିଛନ୍ତି। ମାମଲାରେ ସାମିଲ ଥିବା ଅଭିଯୋଗରେ ପ୍ରଜ୍ଜ୍ଵଳଙ୍କ ପିତା ଏଚଡି ରେଭନ୍ନାଙ୍କୁ ଏସଆଇଟି ପକ୍ଷରୁ ଗିରଫ କରାଯାଇଛି। ଏହାସହ ଫେରାରଥିବା ପ୍ରଜ୍ଜ୍ଵଳ ରେଭନ୍ନାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ ଜାରି କରାଯାଇଛି। ଏଥିରେ ଦେଶରେ ବିଭିନ୍ନ ବିମାନବନ୍ଦରରେ ପ୍ରଜ୍ଜ୍ଵଳଙ୍କ ଗତିବିଧି ନେଇ ନଜର ରଖାଯାଇଛି।

ଅନ୍ୟପଟେ ଚଳିତ ନିର୍ବାଚନରେ ଜେଡିଏସ୍ ସହ ବିଜେପି ମେଣ୍ଟ କରିଥିବାରୁ ମାମଲାକୁ ନେଇ ଏବେ ବିରୋଧୀମାନେ ବିଜେପିକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ପ୍ରଜ୍ଜ୍ଵଳଙ୍କ ଯୌନ ନିର୍ଯାତନା ମାମଲାରେ କାହିଁକି ପ୍ରଧାନମନ୍ତ୍ରୀ ଚୁପ୍ ରହିଛନ୍ତି, ସେ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ପ୍ରଜ୍ଜ୍ଵଳଙ୍କ କଳା କାରନାମା ବିଷୟରେ ଜାଣି ମଧ୍ୟ ବିଜେପି ହାସନ ଲୋକସଭା ଆସନରୁ ତାଙ୍କୁ ନିର୍ବାଚନରେ ସମର୍ଥନ କରୁଥିବାରୁ ସେ କଡ଼ା ସମାଲୋଚନା କରିଛନ୍ତି। ମଣିପୁର ହିଂସା ଭଳି ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ଲଜ୍ଜାଜନକ ବୋଲି କହିଛନ୍ତି ରାହୁଲ।

ଗତ ସପ୍ତାହରେ କର୍ଣ୍ଣାଟକର ହାସନ ଜିଲ୍ଲାରେ ପ୍ରଜ୍ଜ୍ଵଳଙ୍କ ସହ ଜଡିତ ୩ ହଜାରରୁ ଅଧିକ ଅଶ୍ଳୀଳ ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏଥିରେ ଅନେକ ଭିଡିଓରେ ପ୍ରଜ୍ଜ୍ଵଳ ବିଭିନ୍ନ ମହିଳାଙ୍କ ସହ ଯୌନ ସମ୍ପର୍କ ରଖିଥିବା ଦେଖିବାକୁ ମିଳିଥିଲା। ପ୍ରଜ୍ଜ୍ଵଳ ଅନେକ ମହିଳାଙ୍କୁ ବ୍ଲାକମେଲିଂ କରିବା ସହ ହତ୍ୟା ଧମକ ଦେଇ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏଥିରେ ତାଙ୍କ ବାପା ମଧ୍ୟ ସାମିଲ ଥିବା ଅଭିଯୋଗ ରହିଛି।

ଘଟଣା ସାମ୍ନାକୁ ଆସିବାପରେ ପ୍ରଜ୍ଜ୍ଵଳଙ୍କ ଘରେ କାମ କରୁଥିବା ଜଣେ ମହିଳା ତାଙ୍କ ବିରୋଧରେ ମୁହଁ ଖୋଲିଥିଲେ। ମହିଳାଙ୍କ ବୟାନ ଆଧାରରେ ପ୍ରଜ୍ଜ୍ଵଳ ଓ ତାଙ୍କ ବାପା ଏଚଡ଼ି ରେଭନ୍ନା ବିରୋଧରେ ହାସନ ଜିଲ୍ଲାର ହୋଲେନାରାସିପୁରା ଥାନାରେ ମାମଲା ରୁଜୁ ହୋଇଥିଲା।

ମାମଲାରେ ପ୍ରଜ୍ଜ୍ଵଳ ଓ ତାଙ୍କ ବାପାଙ୍କ ବିରୋଧରେ ଆଇପିସି ଧାରା ୩୫୪ ଏ (ଯୌନ ଶୋଷଣ), ୩୫୪ ଡି (ପିଛା କରିବା), ୫୦୬ (ଧମକ ଦେବା) ଏବଂ ୫୦୯ (ଜଣେ ମହିଳାଙ୍କ ଗାରିମାକୁ ଅପମାନିତ କରିବା) ଆଧାରରେ ମାମଲା ରୁଜୁ ହୋଇଛି। ଉକ୍ତ ମାମଲାରେ ପୀଡ଼ିତ ମହିଳାମାନଙ୍କ ବୟାନ ରେକର୍ଡ ପାଇଁ ଏସଆଇଟି ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି।

Tags: #KarnatakaSexScandal #PrajwalRevanna #ViralVideos #Politics #JDS #Karnataka #India

Comment