ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ଜନତା ଦଳ ପକ୍ଷରୁ ଗୁରୁବାର ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଦଳର ଇସ୍ତାହାର ଘୋଷଣା କରିଛନ୍ତି। ଏହାର ନାମ ‘ଆମର ଲକ୍ଷ୍ୟ ଓଡ଼ିଶା ନମ୍ବର-୧’ ରଖାଯାଇଛି। ଇସ୍ତାହାରରେ ବଡ଼ବଡ଼ ପ୍ରତିଶ୍ରୁତି ଦେଇଛି ଦଳ। ବିଜେଡି ଇସ୍ତାହାର କମିଟି ପକ୍ଷରୁ ଏହି ଘୋଷଣା ପତ୍ରକୁ ପ୍ରସ୍ତୁତ କରାଯାଇଛି।

“ବିଜେଡିର ନିର୍ବାଚନୀ ଇସ୍ତାହାରକୁ ଯୁବପିଢ଼ି, ମହିଳା, ଚାଷୀଙ୍କଠାରୁ ଆରମ୍ଭ କରି ସବୁ ବର୍ଗକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହି ଘୋଷଣାପତ୍ରରେ ଲୋକଙ୍କ ଆଶା, ଆକାଂକ୍ଷା ଏବଂ ସେମାନଙ୍କ ମତାମତକୁ ସାମିଲ କରାଯାଇଛି। ଏହି ଲୋକାଭିମୁଖୀ ନିର୍ବାଚନୀ ଇସ୍ତାହାରରେ ଉପସ୍ଥାପିତ ହୋଇଥିବା ପ୍ରତିଶ୍ରୁତିଗୁଡ଼ିକୁ ୫-ଟି ଗଭର୍ଣ୍ଣାନ୍ସ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଏବଂ ସଶକ୍ତ ଓଡ଼ିଶା ଗଠନର ମାର୍ଗକୁ ଏହା ଆହୁରି ବଳିଷ୍ଠ କରିବ”, କହିଛନ୍ତି ନବୀନ ପଟ୍ଟନାୟକ।

ଜାଣନ୍ତୁ କ’ଣ ରହିଛି ଏହି ଇସ୍ତାହାରରେ

ବିଜେଡି କ୍ଷମତାକୁ ଆସିଲେ ଓଡ଼ିଶାରେ ସମସ୍ତଙ୍କୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣା ମିଳିବ। ଏହାସହ ୧୦୦ରୁ ୧୫୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ଉପରେ ଗ୍ରାହକମାନେ ରିହାତି ପାଇବେ। ଓଡ଼ିଶାରେ ଏବେ ୭୫ ପ୍ରତିଶତ ପରିବାର ୧୦୦ ୟୁନିଟରୁ କମ୍‌ ବିଜୁଳି ବ୍ୟବହାର କରୁଥିବାରୁ ବହୁ ସଂଖ୍ୟାରେ ଲୋକ ଏହାଦ୍ଵାରା ଉପକୃତ ହେବେ। 

ଓଡ଼ିଶାର ଯୁବପିଢ଼ିଙ୍କ ନିମନ୍ତେ ୧୦ ବର୍ଷ ପାଇଁ ୧ ଲକ୍ଷ କୋଟି ଟଙ୍କାର ଅଲଗା ବଜେଟ୍ ରଖାଯିବ। ଏହି ଯୁବ ବଜେଟ୍ ଜଳବାୟୁ ଓ ଜେଣ୍ଡର୍‌ ବଜେଟ୍ ଭଳି ବିଧାନସଭାରେ ଉପସ୍ଥାପିତ ହେବ। ଯୁବକମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆଧାର କରି ପ୍ରତିବର୍ଷ ଏଥିରୁ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ। ନୂଆ ‘ଓ’ ମ୍ୟାଜିକ୍ କାର୍ଡ ଦ୍ୱାରା ଏକାଧିକ ସୁବିଧା ସୁଯୋଗ ସହିତ ଏହାର ପରିସରକୁ ବିସ୍ତାର କରାଯିବ। ନୂଆ ‘ଓ’ ଛାତ୍ରବୃତ୍ତି ଝିଅମାନଙ୍କ ପାଇଁ ବାର୍ଷିକ ୧୪ ହଜାର ଟଙ୍କା ଏବଂ ପୁଅମାନଙ୍କ ପାଇଁ ବାର୍ଷିକ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ।

ଆସନ୍ତା ୫ ବର୍ଷରେ ରାଜ୍ୟର ଯୁବକ ଯୁବତୀଙ୍କୁ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ। ସ୍ୱୟମ୍ ଉଦ୍ୟୋଗୀ ଋଣକୁ ବ୍ୟାପକ କରାଯାଇ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଯାଏଁ ବୃଦ୍ଧି କରାଯିବ। ଓଡ଼ିଶାରେ ଏକ ନୂତନ କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ, ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବାକୁ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି ବିଜେଡି।

ସେହିପରି ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସମଗ୍ର ଇକୋସିଷ୍ଟମ୍‌କୁ ଶକ୍ତିଶାଳୀ କରାଯିବ, ଯାହା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ତିନିଟି ଅର୍ଥନୈତିକ ରୂପେ ବିକଶିତ ରାଜ୍ୟରେ ପରିଣତ କରିବ। ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, ଏଆଇ ଇତ୍ୟାଦି ସହିତ ନୂତନ ଯୁଗ, ବୈଷୟିକ ଜ୍ଞାନ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ।

ଓଡ଼ିଶାର ସହରାଞ୍ଚଳବାସୀଙ୍କୁ ଉତ୍ତମ ଗୁଣବତ୍ତା ସମ୍ପନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଚାରିଟି ମେଗା ସହରୀ କ୍ଲଷ୍ଟର ଯୋଜନା କରାଯାଇଛି। ସେଗୁଡ଼ିକ ହେଲା ଭୁବନେଶ୍ୱର–କଟକ–ଖୋର୍ଦ୍ଧା–ପୁରୀ କ୍ଲଷ୍ଟର, ସମ୍ବଲପୁର–ଝାରସୁଗୁଡ଼ା–ରାଉରକେଲା କ୍ଲଷ୍ଟର, ବାରିପଦା–ବାଲେଶ୍ୱର–ଭଦ୍ରକ କ୍ଲଷ୍ଟର ଏବଂ ବ୍ରହ୍ମପୁର–ଛତ୍ରପୁର–ଗୋପାଳପୁର କ୍ଲଷ୍ଟର। ରାଜ୍ୟର ୨୦ଟି ପ୍ରମୁଖ ସହରକୁ ମଧ୍ୟ ବିକଶିତ କରାଯିବ।  

ଅନ୍ୟପଟେ ରାଜ୍ୟର ମଧ୍ୟବିତ୍ତ ବର୍ଗ ପାଇଁ ବିଏସ୍‌କେୱାଇ କଭରେଜ୍ ବଢ଼ାଯିବା ସହ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ରିହାତି ଏବଂ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଉଚ୍ଚଶିକ୍ଷା ପାଇଁ ଋଣ ଉପରେ ସୁଧ ରିହାତି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।

ସେହିପରି ଆସନ୍ତା ୫ ବର୍ଷ ମଧ୍ୟରେ ଏସ୍ଏଚ୍‌ଜିଗୁଡ଼ିକୁ ୧.୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ସହ ୨,୫୦୦ କୋଟି ଟଙ୍କାର ସୁଧ ସେମାନଙ୍କ ନିକଟକୁ ଫେରାଇ ଦିଆଯିବ। ଏସ୍‌ଏଚ୍‌ଜିଗୁଡ଼ିକୁ ଆଗାମୀ ୧୦ ବର୍ଷରେ ୨୦ ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ।

ସେହିପରି ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ଆରମ୍ଭ ଏବଂ ବୃଦ୍ଧି ପାଇଁ ବ୍ୟକ୍ତିଗତ ଭାବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡିଯୁକ୍ତ ଋଣ ଯୋଗାଇବା ପାଇଁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯିବ। ମିଶନ ଶକ୍ତି ମହିଳାଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥା କରିବାକୁ ଇସ୍ତାହାରରେ ଘୋଷଣା କରାଯାଇଛି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଏସ୍‌କେୱାଇ ନବୀନ କାର୍ଡର ପ୍ରବର୍ତ୍ତନ ପ୍ରାୟ ସବୁ ବର୍ଗଙ୍କ ପାଖରେ ପହଞ୍ଚିବ। ଏଥିରେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକମାନେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ। 

ସେହିପରି ସ୍ୱୟମ ନିଯୁକ୍ତି ଦିଗରେ ପ୍ରତିବର୍ଷ ୧୦ ହଜାର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଓବିସି ବର୍ଗର ଯୁବକମାନଙ୍କ ପାଇଁ ୧ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ୧୦ ବର୍ଷ ମଧ୍ୟରେ ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ଉକ୍ତ ବର୍ଗର ଯୁବକମାନଙ୍କୁ ଉଦ୍ୟମିତା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁଧ ଛାଡ଼ ହେବ।

ରାଜ୍ୟରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଯୋଗ୍ୟ ପରିବାରକୁ ରାସନ କାର୍ଡ ଯୋଗାଇ ଦିଆଯିବ। କୃଷକମାନଙ୍କୁ ଚାଷ କାମ ପାଇଁ ମାଗଣା ବିଜୁଳି ପ୍ରଦାନ କରାଯିବ। ଏହାସହ କୃଷକମାନଙ୍କ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ସୁଧମୁକ୍ତ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।

ଓଡ଼ିଶାରେ ଉପାସନା ପୀଠ, ଐତିହ୍ୟ ସ୍ଥଳ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କ ସହିତ ସଂପୃକ୍ତ ସ୍ଥାନଗୁଡ଼ିକର ସଂରକ୍ଷଣ କରିବା ପାଇଁ ଏକ ହେରିଟେଜ୍ ବିକାଶ ପାଣ୍ଠି ଭାବରେ ୧୦୦୦ କୋଟି ଟଙ୍କାର ଏକ କର୍ପସକୁ ପୃଥକ କରାଯିବ। ଶାସ୍ତ୍ରୀୟ ଭାଷା ଭାବରେ ଓଡ଼ିଆ ଭାଷାର ବିକାଶ ଓ ପ୍ରୋତ୍ସାହନ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପଶ୍ଚିମ ଓଡ଼ିଶା ଭାଷାର ବିକାଶ ତଥା ଗବେଷଣା, ଅଧ୍ୟୟନ ଓ ଅନୁସନ୍ଧାନ ପାଇଁ ୨୫ କୋଟି ଟଙ୍କାର କର୍ପସ୍ ଫଣ୍ଡ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ।

ସେହିପରି ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ଭଳି ପ୍ରତିବର୍ଷ କଳିଙ୍ଗଶ୍ରୀ ଏବଂ କଳିଙ୍ଗଭୂଷଣ ପୁରସ୍କାର ପ୍ରଦାନ କରାଯିବ। ସମଗ୍ର ରାଜ୍ୟରେ ଭାଗବତ ଟୁଙ୍ଗିର ସଂରକ୍ଷଣ ପାଇଁ ଅର୍ଥ ଯୋଗାଇ ଦିଆଯିବ ବୋଲି ବିଜେଡି ପକ୍ଷରୁ ଇସ୍ତାହାରରେ ଘୋଷଣା କରାଯାଇଛି।

Tags: #OdishaAssemblyElections2024 #BJDManifesto #NaveenPatnaik #Politics #Odisha

Comment