ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭାରତରେ ଲୋକସଭା ନିର୍ବାଚନ ଲାଗି ସୋମବାର ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ଭୋଟରମାନେ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ ୧,୭୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଏହାସହ ଓଡ଼ିଶାର ୨୮ଟି ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ଟି ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ ହେଉଛି।
ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ସାରା ଦେଶରେ ପ୍ରାୟ ୧୭ କୋଟି ୭୦ ଲକ୍ଷ ଭୋଟର ମତଦାନ କରିବେ। ଏଥିପାଇଁ ୧ ଲକ୍ଷ ୯୨ ହଜାର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରେ ୧୯ ଲକ୍ଷ ପୋଲିଂ କର୍ମଚାରୀଙ୍କୁ ମତଦାନ ପ୍ରକ୍ରିୟା ପରିଚାଳନା କରିବାକୁ ଦାୟିତ୍ଵ ଦିଆଯାଇଛି।
ଏହି ପର୍ଯ୍ୟାୟରେ ବହୁ ବରିଷ୍ଠ ନେତା ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଏଆଇଏମଆଇଏମର ନେତା ଅସଦଉଦ୍ଦିନ ଓୱେସି, ବିଜେପିର ବରିଷ୍ଠ ନେତା ଗିରିରାଜ ସିଂହ, ନିତ୍ୟାନନ୍ଦ ରାୟ, ଟିଏମସିର ମହୁଆ ମୈତ୍ରା ଏବଂ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ନିର୍ବାଚନ ଲଢ଼ୁଛନ୍ତି।
ଜାଣନ୍ତୁ କେଉଁ ରାଜ୍ୟରେ କେତୋଟି ଲୋକସଭା ଆସନରେ ଚାଲିଛି ମତଦାନ
- ଆନ୍ଧ୍ରପ୍ରଦେଶ – ୨୫ (ସମସ୍ତ ଆସନ)
- ତେଲେଙ୍ଗାନା –୧୭ (ସମସ୍ତ ଆସନ)
- ଉତ୍ତରପ୍ରଦେଶ – ୧୩
- ମହାରାଷ୍ଟ୍ର – ୧୧
- ପଶ୍ଚିମବଙ୍ଗ – ୮
- ମଧ୍ୟପ୍ରଦେଶ – ୮
- ବିହାର – ୫
- ଛାଡ଼ଖଣ୍ଡ – ୪
- ଓଡ଼ିଶା – ୪
- ଜମ୍ମୁ କଶ୍ମୀର – ୧
Tags: #IndianGeneralElections #Voting #Voters #ECI #India